‘ବାର୍ବି’ ରୂପରେ କୋଭିଡ୍ ଯୋଦ୍ଧା

କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ସ୍ୱତନ୍ତ୍ର ‘ବାର୍ବି କଣ୍ଢେଇ’ ପ୍ରସ୍ତୁତ କରିଛି ଆମେରିକାର ଖେଳନା କଂପାନି ମାଟେଲ୍ । ବିଶ୍ୱର ୬ ଜଣ କୋଭିଡ୍ ଯୋଦ୍ଧାଙ୍କୁ ନେଇ ବାର୍ବି କଣ୍ଢେଇ ତିଆରି କରାଯାଇଛି । କଂପାନି ପକ୍ଷରୁ ଏହାକୁ ‘ରୋଲ ମଡେଲ୍ କଣ୍ଢେଇ’ ଆଖ୍ୟା ଦିଆଯାଇଛି।
ସେମାନଙ୍କ ମଧ୍ୟରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଡେମ୍ ସାରା ଗିଲବର୍ଟ ସାମିଲ । ଗିଲ୍ବର୍ଟ କରୋନା ଟିକା ଆଷ୍ଟ୍ରାଜେନେକାର ସହ ପ୍ରସ୍ତୁତକାରୀ । ତାଙ୍କ ଉପରେ ପର୍ଯ୍ୟବସିତ ହୋଇଥିବା ବାର୍ବି କଣ୍ଢେଇଟି ନେଭି ବ୍ଲୁ ରଙ୍ଗର ପ୍ୟାଣ୍ଟସୁଟ୍ ପିନ୍ଧିଛି । କଣ୍ଢେଇର କେଶ ଖୋଲା ରହିଥିବାବେଳେ ସେ ଆଖିରେ ଗିଲ୍ବର୍ଟଙ୍କ ଭଳି ମୋଟା ଫ୍ରେମ୍ର ଚଷମା ପିନ୍ଧିଥିବା ଦେଖିବାକୁ ମିଳୁଛି । ନ୍ୟୁୟର୍କର ଜଣେ ନର୍ସ ଆମି ଓ’ ସୁଲିଭାନ୍ ଯିଏକି ବ୍ରୁକ୍ଲିନ୍ରେ ପ୍ରଥମ କୋଭିଡ୍-୧୯ ରୋଗୀଙ୍କ ଚିକିତ୍ସା କରିଥିଲେ ତାଙ୍କ ଉପରେ ବି ଏକ ବାର୍ବି କଣ୍ଢେଇ ନିର୍ମିତ ହୋଇଛି ।
ଏହି ଦୁଇଜଣଙ୍କ ବ୍ୟତୀତ ଲସ୍-ଭେଗାସ୍ର ଡାକ୍ତର ଅନ୍ଦ୍ରେ କ୍ରୁଜ୍, କାନାଡାର ମନୋଚିକିତ୍ସକ ଚିକା ଷ୍ଟାସି ଓରିଉୱା, ବ୍ରାଜିଲର ବାୟୋମେଡିକାଲ ଗବେଷକ ଜ୍ୟାକଲିନ୍ ଗୋଜ୍ ଦେ ଜେସସ୍ ବି ବାର୍ବି କଣ୍ଢେଇ ତାଲିକାରେ ସାମିଲ ଅଛନ୍ତି । ଜ୍ୟାକଲିନ୍ ତାଙ୍କ ଦେଶରେ କୋଭିଡ୍-୧୯ ଭାରିଆଣ୍ଟର ଜେନୋମ୍ ସିକ୍ୱେନ୍ସିଂର ନେତୃତ୍ୱ ନେଇଥିଲେ । ଅନ୍ୟପଟେ ଅଷ୍ଟ୍ରେଲିଆର କିର୍ବି ହ୍ୱାଇଟ୍ଙ୍କ ଉପରେ ବି ବାର୍ବି କଣ୍ଢେଇ ପ୍ରସ୍ତୁତ ହୋଇଛି । ସେ କୋଭିଡ୍ ଯୋଦ୍ଧାଙ୍କ ଲାଗି ପୁନଃ ବ୍ୟବହାରଯୋଗ୍ୟ ସର୍ଜିକାଲ ଗାଉନ୍ ପ୍ରସ୍ତୁତ କରିଥିଲେ । ତାକୁ ସଫା କରି ବାରମ୍ବାର ବ୍ୟବହାର କରିହେବ । ଏ ସଂପର୍କରେ ଗିଲ୍ବର୍ଟ କହିଛନ୍ତି, ମାଟେଲ୍ର ଏହି ପଦକ୍ଷେପ ମୋତେ ଅଭିଭୂତ କରିଦେଇଛି । ମୁଁ ଭାବୁଛି ଝିଅମାନଙ୍କୁ ବିଜ୍ଞାନ କ୍ଷେତ୍ରରେ କ୍ୟାରିୟର କରିବା ଲାଗି ଏହା ପ୍ରେରଣାପ୍ରଦ ହୋଇପାରିବ ।
Powered by Froala Editor