ବାଣ ଫୁଟାକୁ କେନ୍ଦ୍ର କରି ଭୟଙ୍କର ଗଣ୍ଡଗୋଳ: ଗୋଟିଏ ପରିବାରର ଚାରି ଗୁରୁତର
ଭୁବନେଶ୍ୱର: ରାଜଧାନୀରେ ବାଣ ଫୁଟାକୁ କେନ୍ଦ୍ର କରି ଭୟଙ୍କର ଗଣ୍ଡଗୋଳ। ଫୁଟିଲା ବୋମା, ବୁଲିଲା ଖଣ୍ଡା। ଏହି ଆକ୍ରମଣରେ ଗୋଟିଏ ପରିବାରର ଚାରିଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାଟି ଏୟାରପୋର୍ଟ ଥାନା ଅନ୍ତର୍ଗତ ପଳାଶପଲ୍ଲୀ ଅଞ୍ଚଳରେ ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଘଟିଛି। ଏହି ଘଟଣାରେ ଏୟାରପୋର୍ଟ ଥାନା ପୁଲିସ ତିନିଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ଦୀପାବଳିରେ ବାଣ ଫୁଟାକୁ କେନ୍ଦ୍ର କରି ଦୁଇ ପକ୍ଷ ମଧ୍ୟରେ ବିବାଦ ଉପୁଜିଥିଲା। ପରେ ଏହା ଉଗ୍ର ରୂପ ନେଇଥିଲା। ଆକ୍ରମଣକାରୀମାନେ ବୋମାମାଡ଼ କରିବା ସହ ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ଗୋଟିଏ ପରିବାରର ଦୁଇ ଭାଇ, ସେମାନଙ୍କ ମାଆ ଓ ଜଣେ ସମ୍ପର୍କୀୟ ଭାଇ ଆହତ ହୋଇଛନ୍ତି। ଆହତମାନେ ହେଲେ ସିଦ୍ଧେଶ୍ୱର ମହାରଣା, କୃଷ୍ଣ ମହାରଣା, ମାଆ ସୌଦାମିନୀ ମହାରଣା ଏବଂ ସମ୍ପର୍କୀୟ ଭାଇ ସତ୍ୟଜିତ ରଥ। ଚାରିଜଣ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ପରେ ଏୟାରପୋର୍ଟ ଥାନା ପୁଲିସ ତଦନ୍ତ ଆରମ୍ଭ କରି ଏହି ମାମଲାରେ ତିନିଜଣଙ୍କୁ ଗିରଫ କରିଛି ।
Powered by Froala Editor