ଓଡ଼ିଶାରେ ଥିବା ଓରାଙ୍ଗଉଟାନ୍ଙ୍କୁ ନେଇ ବଡ଼ ବୟାନ ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ
ଭୁବନେଶ୍ୱର: ଓଡ଼ିଶାରେ ଥିବା ଓରାଙ୍ଗଉଟାନ୍ଙ୍କୁ ନେଇ ବଡ଼ ବୟାନ ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ । ମନ୍ତ୍ରୀ କହିଛନ୍ତି, ଓରାଙ୍ଗଉଟାନ୍ମାନେ ସୁସ୍ଥ ଅଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି । ସେମାନେ ଓଡ଼ିଶାରେ ହିଁ ରହନ୍ତୁ ବୋଲି ରାଜ୍ୟ ସରକାର ଚାହୁଁଛନ୍ତି କହିଲେ ମନ୍ତ୍ରୀ ।
ଏନେଇ ଜଙ୍ଗଲ ମନ୍ତ୍ରୀ କହିଛନ୍ତି ଯେ, ଏଯାଏଁ ଅନ୍ତର୍ଜାତୀୟ ସ୍ତରରେ କୌଣସି ଦେଶ ଓରାଙ୍ଗଉଟାନ୍ଙ୍କ ଉପରେ ନିଜର ଦାବି ଜଣାଇନାହାନ୍ତି । ଇଣ୍ଡୋନେସିଆରୁ ଆସିବାକୁ ଥିବା ବିଶେଷଜ୍ଞ ଦଳ ସେମାନଙ୍କ ସ୍ଥିତି ଅନୁଧ୍ୟାନ କରିବା ସହ ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ଦିଗ ଯାଞ୍ଚ କରିବେ । ତେବେ ଏହି ପ୍ରକ୍ରିୟାରେ ଭାରତ ସରକାର ବିଶେଷଜ୍ଞ ଦଳଠାରୁ ଆବଶ୍ୟକ ପ୍ରମାଣ ମାଗିବେ । ସମସ୍ତ ଆଇନଗତ ଓ ଅନ୍ତର୍ଜାତୀୟ ନିୟମକୁ ଆଧାର କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ ।
ଓରାଙ୍ଗଉଟାନ୍ଙ୍କ ଭବିଷ୍ୟତକୁ ନେଇ ଏବେ ଉତ୍ସୁକତା ବଢ଼ିଥିବା ବେଳେ ସେମାନଙ୍କୁ ଓଡ଼ିଶାରେ ରଖିବାକୁ ରାଜ୍ୟ ସରକାରଙ୍କ ଇଚ୍ଛା ମନ୍ତ୍ରୀଙ୍କ ବୟାନରୁ ସ୍ପଷ୍ଟ ହୋଇଛି । ଏପଟେ କିଛି ଦିନ ପୂର୍ବରୁ ନନ୍ଦନକାନନରେ ଥିବା ୫ଟି ଓରାଙ୍ଗଉଟାନ୍ଙ୍କୁ ଇଣ୍ଡୋନେସିଆ ଫେରାଇ ନେବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏନେଇ ଇଣ୍ଡୋନେସିଆର ଜଙ୍ଗଲ ମନ୍ତ୍ରଣାଳୟର ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ଏକ ଟିମ୍ ନଭେମ୍ବର ୨୦୨୬ରେ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି ।ଭାରତରେ ଉଦ୍ଧାର ହୋଇଥିବା ଏକ ସୁମାତ୍ରାନ୍ ପ୍ରଜାତିର ଛୁଆ ଓରାଙ୍ଗଉଟାନ୍କୁ ଅକ୍ଟୋବର ୧୯ରେ ଇଣ୍ଡୋନେସିଆ ଫେରାଇ ନିଆଯାଇଛି । ୨୦୨୪ ନଭେମ୍ବରରେ ଭାରତରେ ଉଦ୍ଧାର ହୋଇଥିବା ଏହି ଓରାଙ୍ଗଉଟାନ୍କୁ ଗୁଜରାଟରୁ ଇଣ୍ଡୋନେସିଆ ପଠାଯାଇଛି । ଉଭୟ ଦେଶର ବନ୍ୟପ୍ରାଣୀ ସୁରକ୍ଷା ସଂସ୍ଥା ଏବଂ CITES କର୍ତ୍ତୃପକ୍ଷଙ୍କ ସମନ୍ୱୟରେ ଏହି ପ୍ରତ୍ୟାବର୍ତ୍ତନ ସମ୍ଭବ ହୋଇଛି ।
ତେବେ ଏହି ସଫଳତା ପରେ ଓଡ଼ିଶାରେ ଥିବା ୫ଟି ଓରାଙ୍ଗଉଟାନ୍ଙ୍କୁ ମଧ୍ୟ ନିଜ ଦେଶକୁ ଫେରାଇ ନେବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ସେମାନଙ୍କ ପ୍ରଜାତି ଓ ଉତ୍ପତ୍ତି ସମ୍ପର୍କିତ ଯାଞ୍ଚ ସହ ଆବଶ୍ୟକ ଆଇନଗତ ପ୍ରକ୍ରିୟା ପୂରଣ ପରେ ପ୍ରତ୍ୟାବର୍ତ୍ତନ କରାଯିବ । ବର୍ତ୍ତମାନ ଏହି ୫ଟି ଓରାଙ୍ଗଉଟାନ୍ ଭୁବନେଶ୍ୱରର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରହିଛନ୍ତି । ସେଠାରେ ସେମାନଙ୍କୁ ଆବଶ୍ୟକ ପ୍ରାଣୀ ଚିକିତ୍ସା ଓ ଯତ୍ନ ଯୋଗାଇ ଦିଆଯାଉଛି ।
ସୂଚନା ଅନୁଯାୟୀ, ବାଲେଶ୍ୱର ଭୋଗରାଇରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନ୍ଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ଉନ୍ନତି ଆସୁଛି । ସମସ୍ତଙ୍କ ସ୍ୱାସ୍ଥ୍ୟ ଏବେ ଭଲ ରହିଥିବା ବେଳେ ସେମାନଙ୍କ ଓଜନ ମଧ୍ୟ କ୍ରମାଗତ ଭାବେ ବଢ଼ୁଛି ।
Powered by Froala Editor