ଭୟଙ୍କର ଅଗ୍ନିକାଣ୍ଡରେ ଚାଲିଗଲା ୬ ବର୍ଷର ଶିଶୁପୁତ୍ର ଜୀବନ
କଟକ: କଟକ ଦରଘାବଜାର ଥାନା ଅନ୍ତର୍ଗତ ହାତୀପୋଖରୀ ଅଞ୍ଚଳରେ ଏକ ହୃଦୟବିଦାରକ ତଥା ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ତିନି ମହଲା ଆବାସିକ କୋଠାରେ ହଠାତ୍ ଭୟଙ୍କର ଅଗ୍ନିକାଣ୍ଡ ଘଟି ଜଣେ ୬ ବର୍ଷର ଶିଶୁପୁତ୍ରର ଜୀବନ ଯାଇଥିବାବେଳେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଆଜି ଭୋର ସମୟରେ ଯେତେବେଳେ ସମସ୍ତେ ଶୋଇଥିଲେ, ସେହି ସମୟରେ ହାତୀପୋଖରୀ ଅଞ୍ଚଳରେ ଥିବା ଏହି ୩ ମହଲା କୋଠାରୁ ପ୍ରବଳ ଧୂଆଁ ବାହାରୁଥିବାର ଦେଖିବାକୁ ମିଳିଥିଲା। ଦେଖୁ ଦେଖୁ ନିଆଁର ଶିଖା ଏତେ ଭୟଙ୍କର ରୂପ ନେଇଥିଲା ଯେ, ସମ୍ପୂର୍ଣ୍ଣ କୋଠାକୁ ଆଚ୍ଛାଦିତ କରିଦେଇଥିଲା। ଘର ଭିତରୁ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟ ପାଇଁ ଆଗେଇ ଆସିଥିଲେ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।
ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ, ଘର ଭିତରେ ଥିବା ପରିବାର ଲୋକେ ବାହାରକୁ ବାହାରି ପାରି ନ ଥିଲେ। ଅଗ୍ନିକାଣ୍ଡ ଯୋଗୁ ଘର ଭିତରେ ଥିବା ୬ ବର୍ଷର ଶିଶୁପୁତ୍ରଟି ଧୂଆଁ ଓ ନିଆଁରେ ଗୁରୁତର ଭାବେ ପୋଡ଼ି ଯାଇଥିଲା। ତାକୁ ତୁରନ୍ତ ଉଦ୍ଧାର କରାଯାଇ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁପୁତ୍ରଟି ଆଖି ବୁଜିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଏହି ଦୁର୍ଘଟଣାରେ ପରିବାରର ଜଣେ ବୃଦ୍ଧ ମଧ୍ୟ ଗୁରୁତର ହୋଇଛନ୍ତି। ତାଙ୍କୁ ତୁରନ୍ତ ବଡ଼ ମେଡିକାଲରେ ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି।
ଖବର ପାଇ ଅଗ୍ନିଶମ ବାହିନୀ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଥିଲେ। ଅଗ୍ନିଶମ କର୍ମଚାରୀମାନେ ବିପଦପୂର୍ଣ୍ଣ ସ୍ଥିତିରେ କୋଠା ଭିତରକୁ ପଶି ଫସି ରହିଥିବା ଅନ୍ୟ ଲୋକଙ୍କୁ ଉଦ୍ଧାର କରିଥିଲେ।
Powered by Froala Editor