ଦୀପାବଳି ପୂର୍ବରୁ ଶ୍ୱାସରୁଦ୍ଧ ହୋଇଯାଇଛି ଦିଲ୍ଲୀର ପବନ
ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ଦିଲ୍ଲୀର ପବନ ଶ୍ୱାସରୁଦ୍ଧ ହୋଇଯାଇଛି । ଆଜି ସକାଳେ ରାଜଧାନୀର ଅନେକ ଅଞ୍ଚଳରେ ବାୟୁ ଅବସ୍ଥା ଅତ୍ୟନ୍ତ ଖରାପ ହୋଇଛି । ଏଥି ସହିତ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ମଧ୍ୟ ୩୫୦ ପାଖାପାଖି ପହଞ୍ଚିଛି । ସକାଳ ୭ଟା ପୂର୍ବରୁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଦ୍ୱାରା ପ୍ରକାଶିତ ସଦ୍ୟତମ ତଥ୍ୟ ଅନୁଯାୟୀ, ଅକ୍ଷରଧାମ ମନ୍ଦିର ଏବଂ ଆଇଟିଓ ଆଖପାଖ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୪୯ ରେକର୍ଡ କରାଯାଇଛି । ସେହି ସମୟରେ ଇଣ୍ଡିଆ ଗେଟ୍ ଏବଂ ଜନପଥ ଆଖପାଖ ଅଞ୍ଚଳରେ ଏକ୍ୟୁଆଇ ୩୩୫ ଥିଲା । ଦିଲ୍ଲୀ-ଏନସିଆରରେ ପ୍ରଦୂଷଣର ମୁକାବିଲା ପାଇଁ ନଭେମ୍ବର ୧ରୁ ନୂତନ ପ୍ରତିବନ୍ଧକ ଲାଗୁ ହୋଇଛି। ତେବେ କଟକଣାର ପ୍ରଥମ ଦିନରେ ରବିବାର ଦିନ ବାୟୁର ଗୁଣବତ୍ତା ଖରାପ ବର୍ଗକୁ ଖସିଯାଇଥିଲା । ଦୀପାବଳି ପୂର୍ବରୁ ଯଦି ଏଭଳି ସ୍ଥିତି ଉପୁଜିଛି ତେବେ ଏହାପରେ ସ୍ଥିତି ଆହୁରି ସାଙ୍ଘାତିକ ହୋଇପାରେ ।
୫୦% କାମ ଘରୁ, ପୁରୁଣା ଗାଡ଼ି ଉପରେ କଟକଣା- ବାୟୁ ପ୍ରଦୂଷଣ ରୋକିବା ଲାଗି ଦିଲ୍ଲୀ-ଏନସିଆରରେ ନଭେମ୍ବର ୧ ବା ଗତକାଲିଠାରୁ ନୂଆ କଟକଣା ଲାଗୁ ହୋଇଛି । ଏବେ ଦିଲ୍ଲୀ ବାହାରେ ପଞ୍ଜୀକୃତ ବିଏସ୍-୪ରୁ କମ୍ ମାନକର ଗାଡ଼ି ଜାତୀୟ ରାଜଧାନୀରେ ଚାଲିପାରିବ ନାହିଁ । ଏଥିସହିତ ସରକାରୀ ଏବଂ ଘରୋଇ ଅଫିସ୍ ଗୁଡିକରେ ୫୦ ପ୍ରତିଶତ କର୍ମଚାରୀ ଘରୁ କାମ କରିବେ । ପବ୍ଲିକ୍ ପାର୍କିଂରେ ଗାଡି ଛିଡା କରିବା ଫିକୁ ୨ଗୁଣା ବଢାଯାଇଛି । ଏହି କଟକଣା ଯୋଗୁଁ ରବିବାର ସକାଳେ ୪୮ ନମ୍ବର ଜାତୀୟ ରାଜପଥରେ ଦିଲ୍ଲୀ ଆଡ଼କୁ ଆସୁଥିବା ଗାଡିଗୁଡିକ ମୁଖ୍ୟ ରାସ୍ତା ଏବଂ ସର୍ଭିସ୍ ରାସ୍ତାରେ ପ୍ରାୟ ୧ କିମିରୁ ଅଧିକ ଲମ୍ବା ଜାମରେ ଫସିଥିଲା । ସେହିପରି ଧୂଳା ବାହାରୁଥିବା ନିର୍ମାଣ ଏବ ଭଙ୍ଗାରୁଜା କାମ ଉପରେ ମଧ୍ୟ ରୋକ୍ ରହିଛି ।
ଅନ୍ୟପକ୍ଷରେ ଦିଲ୍ଲୀରେ ଗତ ଅକ୍ଟୋବରରେ ପୂର୍ବ ୯ ବର୍ଷରେ ବାୟୁ ସବୁଠୁ ସ୍ୱଚ୍ଛ ରହିଥିଲା ବୋଲି ରେକର୍ଡ ହୋଇଛି । ଯାହା କି ବଡ଼ ଆଶ୍ୱସ୍ତିକର କଥା । ଅକ୍ଟୋବରରେ ହାରାହାରି ବାୟୁ ଗୁଣବତ୍ତା ମାନ (ଏକ୍ୟୁଆଇ) ୧୬୬ ରହିଥିଲା । ଦିଲ୍ଲୀ ସରକାର ଗତ ଜୁଲାଇରେ ପ୍ରଦୂଷଣ ରୋକିବା ଶୀତକାଳୀନ ଯୋଜନାକୁ ମଞ୍ଜୁରି ଦେଇଥିଲେ । ଏହା ଅନୁସାରେ, ନଭେମ୍ବର ୧ରୁ ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ପ୍ରଦୂଷଣ ସହ ଜଡ଼ିତ କେତେକ କଟକଣା ଲାଗୁ ରହିବ । ନୂଆ ନିୟମ ଅନୁସାରେ, ଜାନୁଆରୀ ୩୧ ପର୍ଯ୍ୟନ୍ତ ଦିଲ୍ଲୀ ବାହାରର ପୁରୁଣା ଗାଡି ଦିଲ୍ଲୀରେ ପ୍ରବେଶ କରିପାରିବ ନାହିଁ ।
ଫେବ୍ରୁଆରୀ ୨୮ ଯାଏ ସରକାରୀ ଏବଂ ଘରୋଇ ଅଫିସରେ ୫୦ ପ୍ରତିଶତ କର୍ମଚାରୀ ଘରୁ କାମ କରିବେ । ସାର୍ବଜନିନ ପାର୍କିଂ ସ୍ଥାନରେ ଗାଡ଼ି ପାର୍କିଂ ଫି ଦୁଇ ଗୁଣା ରହିବ । ତେବେ ଦିଲ୍ଲୀ ମେଟ୍ରୋକୁ ପାର୍କିଂ କଟକଣାକୁ ଛାଡ୍ ରଖାଯାଇଛି । ପିୟୁସି ନଥିଲେ ପେଟ୍ରୋଲ୍ ପମ୍ପରେ ତେଲ ମିଳିବନି ।
Powered by Froala Editor