ଘଣ୍ଟାପ୍ରତି ୨୭କି.ମି. ବେଗରେ ଉପକୂଳ ଆଡ଼କୁ ମାଡ଼ି ଆସୁଛି ‘ମୁରାସୁ’
ଭୁବନେଶ୍ବର: ଦକ୍ଷିଣ-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ‘ମୁରାସୁ’ କେନ୍ଦ୍ରୀଭୂତ ହୋଇଛି। ସମୁଦ୍ରରୁ ବଳ ଗୋଟାଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଘଣ୍ଟାପ୍ରତି ୨୭କି.ମି. ବେଗରେ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମାଡ଼ି ଆସୁଛି। ଆସନ୍ତାକାଲି ସକାଳୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ‘ମୁରାସୁ’ ଉତ୍ତର-ପଶ୍ଚିମ ଦିଗରେ ମୁହାଁଇବ। ସୋମବାର ମଧ୍ୟରାତ୍ରିରୁ ମଙ୍ଗଳବାର ସକାଳ ସୁଦ୍ଧା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ନେଲୋର-ନର୍ସାପୁର ମଧ୍ୟରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହି ସମୟରେ ଘଣ୍ଟାପ୍ରତି ୧୦୦ରୁ ୧୧୦କି.ମି. ଏବଂ ଝଟକା ପବନ ୧୨୦କି.ମି. ଛୁଇଁପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଛି।
ଆସନ୍ତା ୩ ଓ ୪ତାରିଖରେ ଦକ୍ଷିଣ ଓଡ଼ିଶା ଜିଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହିତ ଘଣ୍ଟାପ୍ରତି ୭୦କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି। ଆଇଏମ୍ଡି ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ବାତ୍ୟା ‘ଅର୍ଣ୍ଣବ’ ଅପେକ୍ଷା ‘ମୁରାସୁ’ର ପ୍ରଭାବ ଅପେକ୍ଷାକୃତ କମ୍ ରହିବ। ‘ଅର୍ଣ୍ଣବ’ ସ୍ଥଳଭାଗ ଅତିକ୍ରମ କରିଥିବା ସ୍ଥାନରୁ ୧୫୦ କି.ମି. ତଳେ ସ୍ଥଳଭାଗ ଅତିକ୍ରମ କରିପାରେ ‘ମୁରାସୁ’। ‘ଅର୍ଣ୍ଣବ’ ଅତିଭୀଷଣ ବାତ୍ୟା ଥିଲା ଓ ସ୍ଥଳଭାଗ ଅତିକ୍ରମ ସମୟରେ ପବନର ବେଗ ଘଣ୍ଟାପ୍ରତି ସର୍ବାଧିକ ୧୫୦କି.ମି. ଥିଲା। ‘ମୁରାସୁ’ରେ ପବନର ବେଗ ସର୍ବାଧିକ ୧୨୦କି.ମି. ରହିବ, ତେଣୁ ପ୍ରଭାବ ଅପେକ୍ଷାକୃତ କମ୍ ରହିବ। ‘ମୁରାସୁ’ ପ୍ରଭାବରେ ଆସନ୍ତାକାଲିଠୁ ଦକ୍ଷିଣ ଓଡ଼ିଶା ଓ ଉପକୂଳରେ ବର୍ଷା ସହିତ ପବନ ବହିବ। ବାତ୍ୟା ସ୍ଥଳଭାଗ ଅତିକ୍ରମ କଲାବେଳେ ପବନର ବେଗ ଘଣ୍ଟାପ୍ରତି ସର୍ବାଧିକ ୬୦କି.ମି. ରହିପାରେ।
Powered by Froala Editor