ଭେରି ସିଭିୟର ସାଇକ୍ଲୋନ: ୧୫୦ କିଲୋମିଟର ବେଗରେ ପବନ ବହିବ
ଭୁବନେଶ୍ୱର: ଅତି ଭୀଷଣ ବାତ୍ୟା (ଭେରି ସିଭିୟର ସାଇକ୍ଲୋନ) ଆନ୍ଧ୍ରଓଡ଼ିଶା ଉପକୂଳ ଆଡ଼କୁ ଆସିପାରେ । ଆସନ୍ତା ୨୭ ରାତି କିମ୍ବା ୨୮ ସକାଳୁ ପଶିପାରେ ଆନ୍ଧ୍ର ଉପକୂଳରେ । ସେତେବେଳେ ମାଡ଼ ହୋଇପାରେ ୧୫୦ କିଲୋମିଟର ବେଗରେ ପବନ । ଏଭଳି ଭୟାନକ ଆକଳନ ଦେଖାଇଛନ୍ତି ବିଭିନ୍ନ ଆନ୍ତର୍ଜାତିକ ପାଣିପାଗ ମଡେଲ୍ । ପ୍ରମୁଖ ପାଣିପାଗ ମଡେଲ୍ ଇସିଏମଡବ୍ଲ୍ୟୁଏଫ୍ ଏବଂ ଜିଏଫଏସ୍ ପକ୍ଷରୁ ଜାରି କରାଯାଇଥିବା ତାଜା ପୂର୍ବାନୁମାନରେ ସମ୍ଭାବ୍ୟ ବାତ୍ୟା ଆନ୍ଧ୍ର ଉପକୂଳରେ ମାଡ଼ ହେବା ସମ୍ଭାବନା ରହିଛି । ସିଧା ମାଡ଼ ନ ହେଲେ ବି ଓଡ଼ିଶା ପ୍ରଭାବିତ ହେବା ଆଶଙ୍କା ରହିଛି । ବିଶେଷ କରି ଦକ୍ଷିଣ ଓଡ଼ିଶା, ଉପକୂଳବର୍ତ୍ତୀ ଅଞ୍ଚଳରେ ପବନ ସହ ପ୍ରବଳ ବର୍ଷା ହୋଇପାରେ ।
ଆଇଏମଡି ପୂର୍ବାନୁମାନରେ ବାତ୍ୟା ବା ସାଇକ୍ଲୋନ ସମ୍ପର୍କରେ କିଛି ଉଲ୍ଲେଖ କରାଯାଇନାହିଁ । କିନ୍ତୁ, ପୂର୍ବାନୁମାନରୁ ସ୍ପଷ୍ଟ ସଙ୍କେତ ମିଳୁଛି, ଲଘୁଚାପ ଘନୀଭୂତ ହୋଇ ବାତ୍ୟା ରୂପ ନେବା ସମ୍ଭାବନା ଅଛି । କାରଣ ଘଣ୍ଟା ପ୍ରତି ୬୨ କିମିରୁ ଅଧିକ ପବନ ହେଲେ ତାହା ବାତ୍ୟା ଶ୍ରେଣୀଭୁକ୍ତ ହୋଇଥାଏ । ୮୮ କିମିରୁ ୧୧୭ କିମି ପବନ ହେଲେ ତାହା ଭୀଷଣ ବାତ୍ୟା କୁହାଯାଏ । ୧୧୮ କିମିରୁ ୧୬୫ କିମି ପବନ ବହିଲେ ଏହାକୁ ଅତି ଭୀଷଣ ବାତ୍ୟା କୁହାଯିବ । ଆଇଏମଡି ବିସ୍ତାରିତ ସୂଚନା ଅନୁସାରେ ସମ୍ଭାବ୍ୟ ସିଷ୍ଟମ ପ୍ରଭାବରେ ଓଡ଼ିଶା ଏବଂ ଆନ୍ଧ୍ରରେ ପ୍ରବଳ ବର୍ଷା ହୋଇପାରେ । ଓଡ଼ିଶାରେ ୨୬ରୁ ୨୮ ଏବଂ ଆନ୍ଧ୍ରରେ ୨୫ରୁ ୨୮ ବର୍ଷା ସମ୍ଭାବନା ଅଛି । ଓଡ଼ିଶାରେ ୨୭ ଓ ୨୮ରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୨୩ ସନ୍ଧ୍ୟାରୁ ସମୁଦ୍ର ଅଶାନ୍ତ ରହିପାରେ ।
Powered by Froala Editor