ଟୋକିଓ ଅଲିମ୍ପିକ୍ସରେ ପ୍ରଦର୍ଶିତ ହେବ ଅର୍ଚ୍ଚନାଙ୍କ ଚିତ୍ରକଳା

ବାଲେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ବାଲେଶ୍ୱରର ଚିତ୍ରଶିଳ୍ପୀ ଅର୍ଚ୍ଚନା ଜେନାଙ୍କର ଚିତ୍ରାଙ୍କନ ପ୍ରଦର୍ଶିତ ହେବା ପାଇଁ ମନୋନୀତ ହୋଇଛି । ଆସନ୍ତା ୮ ରୁ ୨୪ ତାରିଖ ଯାଏ ଭର୍ଚୁଆଲ ମୋଡରେ ଆନ୍ତର୍ଜାତିକ ଚିତ୍ରକୃତି ପ୍ରଦର୍ଶନୀ ଆୟୋଜନ ହେବ । ଏଥିରେ ବାଲେଶ୍ୱର ଚାରୁକଳା ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ଶ୍ରୀମତୀ ଜେନାଙ୍କର ଚିତ୍ରାଙ୍କନ ପ୍ରଦର୍ଶିତ ହେବ । ଭାରତୀୟ ଚିତ୍ରଶିଳ୍ପୀ ମହାସଂଘ ପକ୍ଷରୁ ଆୟୋଜିତ ଉକ୍ତ ପ୍ରଦର୍ଶନୀରେ ଶ୍ରୀମତୀ ଜେନାଙ୍କ ଚିତ୍ରାଙ୍କନ ‘ଦ ଫାଇଟ’ ଶିନୋନାମାରେ ପ୍ରଦର୍ଶିତ ହେବ । ଏହାକୁ ନେଇ ପରିବାର ସମତେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ପୂର୍ବରୁ ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ୱାରା ଆୟୋଜିତ ବିଭିନ୍ନ ପ୍ରଦର୍ଶନୀରେ ତାଙ୍କ ଚିତ୍ରକୃତି ପ୍ରଦର୍ଶିତ ହୋଇଛି । ଏ ନେଇ ସେ ପୁରସ୍କୃତ ହୋଇଛନ୍ତି । ସେହିପରି ସିଡାକ ପକ୍ଷରୁ ଆୟୋଜିତ ଆର୍ଟ ଶିବିରରେ ଯୋଗ ଦେଇ କ୍ରାଫ୍ଟ ଡିଜାଇନରେ ସାର୍ଟିଫିକେଟପ୍ରାପ୍ତ ଅର୍ଚ୍ଚନା ପୁରସ୍କୃତ, ସମ୍ବର୍ଦ୍ଧିତ ହୋଇଛନ୍ତି । ବିଶିଷ୍ଟ କବି ତଥା ସେବା ନିବୃତ୍ତ ବ୍ୟାଙ୍କ ଅଧିକାରୀ ରବୀନ୍ଦ୍ର ନାଥ ଜେନାଙ୍କ କନ୍ୟା ଅର୍ଚ୍ଚନା ଅହମ୍ମଦାବାଦସ୍ଥିତ କରୁର ବୈଶ୍ୟ ବ୍ୟାଙ୍କର ଚିଫ ମ୍ୟାନେଜର ସଞ୍ଜୀବ କୁମାର ଜେନାଙ୍କ ସହଧର୍ମିଣୀ । ଏବେ ସେ ରେମୁଣା ବ୍ଲକ ଜାନୁଗଞ୍ଜା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କଳା ଶିକ୍ଷୟିତ୍ରୀ । ଗୁରୁ ନିକୁଞ୍ଜ ବିହାରୀ ଦାସଙ୍କୁ ଏହି ସଫଳତାର ଶ୍ରେୟ ଅର୍ଚ୍ଚନା ଦେଇଛନ୍ତି ।
Powered by Froala Editor