୫.୨୯୧ କିଲୋଗ୍ରାମ ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ
ଭୁବନେଶ୍ୱର: ବ୍ୟାଙ୍କକ୍ରୁ ଆସୁଥିଲା ହାଇଡ୍ରୋପୋନିକ୍ ଗଞ୍ଜେଇ । ଭୁବନେଶ୍ୱର ବିମାନବନ୍ଦରରେ ଯାଞ୍ଚ ବେଳେ ଧରାପଡ଼ିଲା ନିଶାଦ୍ରବ୍ୟ ଚାଲାଣ। ୪ ଜଣ ଯାତ୍ରୀଙ୍କଠାରୁ ପ୍ରାୟ ୧.୮୫ କୋଟି ଟଙ୍କା ମୂଲ୍ୟର ୫.୨୯୧ କିଲୋଗ୍ରାମ ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ କରାଯାଇଛି। ଡିଆରଆଇ ଓ କଷ୍ଟମ୍ସ ବିଭାଗର ମିଳିତ ଯାଞ୍ଚ ସମୟରେ ଏହି ନିଶାଦ୍ରବ୍ୟ ଠାବ ହୋଇଛି।ସୂଚନା ଅନୁଯାୟୀ, ନିର୍ଦ୍ଦିଷ୍ଟ ଗୁପ୍ତ ସୂଚନା ଆଧାରରେ ଡିଆରଆଇର ଭୁବନେଶ୍ୱର ରିଜିଓନାଲ୍ ୟୁନିଟ୍ର ଅଧିକାରୀମାନେ ବ୍ୟାଙ୍କକ୍ରୁ ବିମାନ ଯୋଗେ ଆସିଥିବା ୪ ଜଣ ଯାତ୍ରୀଙ୍କୁ ଅଟକାଇ ଯାଞ୍ଚ କରିଥିଲେ। ତିନି ଜଣ ଯାତ୍ରୀଙ୍କ ଚେକ୍-ଇନ୍ ବ୍ୟାଗେଜ୍ ଯାଞ୍ଚ ବେଳେ ସନ୍ଦେହଜନକ ପ୍ୟାକେଟ୍ ମିଳିଥିଲା ।
ବ୍ୟାଗ୍ ଭିତରେ ସ୍ୱତନ୍ତ୍ର ଭାବେ ତିଆରି ଗୁପ୍ତ ଚାମ୍ବରରେ ଏହି ପ୍ୟାକେଟ୍ଗୁଡ଼ିକୁ ଲୁଚାଇ ରଖାଯାଇଥିଲା । ସେହିପରି ଅନ୍ୟ ଜଣେ ଯାତ୍ରୀଙ୍କ ବ୍ୟାଗ୍ରେ କୁକୁର ଖାଦ୍ୟ ଲେଖାଥିବା ଏକ ଟିଣ ଡବାରୁ ୪୧୪ ଗ୍ରାମ ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ ହୋଇଥିଲା । ଏହିପରି ଭାବେ ଚାରି ଜଣ ଯାତ୍ରୀଙ୍କଠାରୁ ମୋଟ ୫.୨୯୧ କିଲୋଗ୍ରାମ ନିଶାଦ୍ରବ୍ୟ ଜବତ କରାଯାଇଛି । ଜବତ ଗଞ୍ଜେଇ ସହ ଚାରି ଜଣ ଯାତ୍ରୀଙ୍କୁ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଭୁବନେଶ୍ୱର କଷ୍ଟମ୍ସର ଏୟାର ଇଣ୍ଟେଲିଜେନ୍ସ ୟୁନିଟ୍କୁ ହସ୍ତାନ୍ତର କରାଯାଇଛି ।
Powered by Froala Editor