ବିଧାୟିକାଙ୍କ ଘରକୁ ବୋମାମାଡ

ଭୁବନେଶ୍ୱର : ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ଦୁଇ ବାସଭବନ ଉପରକୁ ପଥର ଓ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ । ଏକାସାଙ୍ଗରେ ତିନି ତିନିଟି ସ୍ଥାନରେ ସିରିଜ ଆକ୍ରମଣ ହୋଇଥିବାବେଳେ ବିଧାୟିକା ଅନୁପସ୍ଥିତ ଥିବାରୁ ଏହି ଆକ୍ରମଣରୁ ବର୍ତ୍ତି ଯାଇଛନ୍ତି । ତେବେ, ସେମାନଙ୍କ ସମର୍ଥକଙ୍କୁ ଗୋଡ଼ାଇ ହାଣିବାରୁ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଯାହାଏବେ ଗଞ୍ଜାମ ଜିଲ୍ଲାରେ ଚାଂଚଲ୍ୟ ଖେଳାଇ ଦେଇଛି । ଆଗକୁ ପଂଚାୟତ ଓ ପୌର ନିର୍ବାଚନ ଥିବାବେଳେ ଏବେଠାରୁ ରାଜନୀତିକ ଉତେଜନା ଜୋରଧରିଛି ।
ମିଳିଥିବା ସୂଚନା ଅନୁସାରେ, ଗୁରୁବାର ଦିନ ପୂର୍ବତନ ବିଧାୟିକା ତଥା ଖଲ୍ଲିକୋଟ ରାଣୀ ଭି.ସୁଜ୍ଞାନ କୁମାରୀ ଦେଓଙ୍କ ଜୟନ୍ତୀ ଅବସରରେ ଆୟୋଜିତ ରକ୍ତଦାନ ଶିବିରକୁ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଓ ତାଙ୍କ ସ୍ୱାମୀ ଦୈତାରୀ ବେହେରା ଯାଇଥିଲେ । ତେବେ ଅପରାହ୍ନ ପ୍ରାୟ ୪ଟାରୁ ସାଢେ଼ ୪ଟା ସମୟରେ ୩ ଟି ବାଇକରେ ୯ ଜଣ ଦୁର୍ବୃତ୍ତ ବିଭିନ୍ନ ମାରଣାସ୍ତ୍ର ଧରି ବିଧାୟିକାଙ୍କ ଘର ଉପରେ ହମଲା କରିଥିଲେ । ପ୍ରଥମେ, ବିଧାୟିକାଙ୍କ ବ୍ଲକ କାର୍ଯ୍ୟାଳୟ ନିକଟ ବାସଭବନ ଉପରେ ପଥରମାଡ଼ କରିଥିଲେ । ଫାଟକ ଖୋଲି ଭିତରେ ପଶି ହଙ୍ଗାମା କରିବା ସହ କାହାକୁ ନପାଇ ଘର ଆଗରେ ଥିବା ୨ ଗୋଟି ବାଇକକୁ ଖଣ୍ଡାରେ ହାଣି ନଷ୍ଟ କରିଥିଲେ । ସେଇ ସମାନ ସମୟରେ ଆଉ କିଛି ଦୁର୍ବୃତ୍ତ ସମାନ୍ତରାଳ ଭାବେ ବିଧାୟିକାଙ୍କ କେଶପୁରପାଟଣା ଗ୍ରାମରେ ଥିବା ନୂଆ ବାସଭବନ ଆଗରେ ୪ଟି ବୋମା ଫିଙ୍ଗିବା ସହ ଗ୍ରାମରେ କିଛି ସମୟ ପାଇଁ ଆତଙ୍କ ସୃଷ୍ଟି କରିଥିଲେ । ଏତିକିରେ ସେମାନଙ୍କର ରାଗ ଥମିନଥିଲା । ବିଧାୟିକାଙ୍କ ସମର୍ଥକ ମୋହନ ମଲ୍ଲିକ(୫୦)ଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ । ଦୁର୍ବୃତ୍ତମାନେ ମୋହନଙ୍କୁ ମାଡ଼ମାରି ତାଙ୍କର ଡାହାଣ ଗୋଡ଼ ଭାଙ୍ଗି ଦେଇଥିଲେ । ସେହିପରି ସୀମାଞ୍ଚଳ ବେହେରା (୨୦) ନାମକ ଜଣେ ସମର୍ଥକ ରମ୍ଭା ଅଭିମୁଖେ ଯାଉଥିବାବେଳେ ତାଙ୍କୁ ରାସ୍ତାରେ ପିଛା କରି ଖଣ୍ଡାରେ ଆକ୍ରମଣ କରିଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
Powered by Froala Editor