ଗାଇଡଲାଇନ ଅନୁଯାୟୀ ୯ମ ଶ୍ରେଣୀ ପିଲାଙ୍କ କ୍ଲାସ ହେବ

ଭୁବନେଶ୍ୱର: ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟର ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ ପାଠପଢ଼ା ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ; ମାଧ୍ୟମିକ ଶିକ୍ଷା ପରିଷଦ, ସିବିଏସଇ, ଆଇସିଏସଇ ସମେତ ଅନ୍ୟାନ୍ୟ ବୋର୍ଡ ଅଧୀନରେ ଆସୁଥିବା ବିଦ୍ୟାଳୟଗୁଡ଼ିକରେ ଏହି ନିୟମ ଲାଗୁ ହେବ । ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ୩୦ ଯାଏ ଛାତ୍ରଛାତ୍ରୀଙ୍କ କ୍ଲାସରୁମ ପାଠପଢ଼ା ଚାଲିବ । ରବିବାର ଓ ଅନ୍ୟାନ୍ୟ ଛୁଟି ଦିନଗୁଡ଼ିକରେ ପାଠପଢ଼ା ବନ୍ଦ ରହିବ । ଅଭିଭାବକଙ୍କ ଅନୁମତି ନେଇ ଛାତ୍ରଛାତ୍ରୀ ଅଫଲାଇନରେ କ୍ଲାସ କରିପାରିବେ । ଅଫଲାଇନ ପାଠପଢ଼ାରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନକୁ ବାଧ୍ୟତାମୂଳକ କରାଯିବ ନାହିଁ । ସେହିପରି ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଯେଉଁ ସବୁ ନିୟମାବଳି ଲାଗୁ ହୋଇଛି; ତାହାକୁ ୯ମ ଶ୍ରେଣୀରେ କଡ଼ାକଡ଼ି ପାଳନ କରାଯିବ । ଜୁଲାଇ ୧୭ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା କରୋନା ଗାଇଡଲାଇନ ଅନୁଯାୟୀ ୯ମ ଶ୍ରେଣୀ ପିଲାଙ୍କ କ୍ଲାସ ହେବ । ସେହିପରି ୯ମ ଶ୍ରେଣୀ ପିଲାଙ୍କ ଲାଗି ୧୬ ତାରିଖଠାରୁ ହଷ୍ଟେଲଗୁଡ଼ିକ ଖୋଲିବ । ଜୁଲାଇ ୨୧ରେ ଜାରି ହୋଇଥିବା ହଷ୍ଟେଲ ନିୟମାବଳି ଏହି ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ବି ପାଳନ କରାଯିବ । ତେବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଏସଆରସିଙ୍କ ପକ୍ଷରୁ ବିଭିନ୍ନ ସମୟରେ ଜାରି ହେଉଥିବା କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁ ମାଧ୍ୟମିକ ଶିକ୍ଷା ନିର୍ଦେଶକଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ।
Powered by Froala Editor