ନିର୍ମାଣ ଶ୍ରମିକଙ୍କୁ ମିଳିବ କୋଭିଡ ସହାୟତା, ଜାଣନ୍ତୁ କେତେ?

ଭୁବନେଶ୍ୱର : କରୋନା ଦ୍ୱିତୀୟ ଲହରରେ ନିର୍ମାଣ ଶ୍ରମିକଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୫ ଶହ ଟଙ୍କା ଲେଖାଏଁ ସ୍ୱତନ୍ତ୍ର କୋଭିଡ ସହାୟତା ଘୋଷଣା କରାଯାଇଛି । ଏହାଦ୍ୱାରା ୨୫ ଲକ୍ଷ ୭୩ ହଜାର ୫୬୮ ପଂଜୀକୃତ ନିର୍ମାଣ ଶ୍ରମିକ ଲାଭାନ୍ୱିତ ହେବେ ।
ବର୍ତ୍ତମାନ ପର୍ଯ୍ୟନ୍ତ ୧୪ ଲକ୍ଷ ୧୬ ହଜାର ୫୮୪ ନିର୍ମାଣ ଶ୍ରମିକଙ୍କୁ ୧୫ ଶହ ଟଙ୍କା ଲେଖାଏଁ କୋଭିଡ ସହାୟତା ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି । ଏ ବାବଦରେ ସେମାନଙ୍କ ଆଧାର ଲିଙ୍କ ହୋଇଥିବା ବ୍ୟାଙ୍କ ଆକାଉଣ୍ଟରେ ସମୁଦାୟ ୨୧୨.୪୯ କୋଟି ଟଙ୍କା ଦିଆଯାଇଛି । ସକ୍ରିୟ ପଂଜୀକୃତ ନିର୍ମାଣ ଶ୍ରମିକମାନେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ୱେବସାଇଟ ଯାଇ ସ୍ୱୟଂ ପରୀକ୍ଷଣ ଲିଙ୍କରେ ସେମାନଙ୍କ ଦେୟ ସ୍ଥିତି ଯାଂଚ କରିପାରିବେ । ଦେୟ ପ୍ରଦାନ ହୋଇନଥିଲେ ସେମାନେ ଏଠାରେ ଆଧାର ଲିଙ୍କ ହୋଇଥିବା ବ୍ୟାଙ୍କ ଆକାଉଣ୍ଟ ମୋବାଇଲ ନମ୍ବର ଏବଂ ଅନ୍ୟାନ୍ୟ ବିବରଣୀ ଯାଞ୍ଚ କରି ସଠିକ ତଥ୍ୟ ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି । ଏହି ସମ୍ବନ୍ଧୀୟ ଅଧିକ ତଥ୍ୟ ସୂଚନା ପାଇଁ ହିତାଧିକାରୀମାନେ ସଂଯୋଗ ହେଲପଲାଇନ ନମ୍ବର-୧୫୫୩୩୫ରେ ଯୋଗାଯୋଗ କରିବାକୁ ରାଜ୍ୟ ଶ୍ରମ କମିସନରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି । ଆଧାର ସହ ବ୍ୟାଙ୍କ ଖାତା ସଂଯୋଗ ହୋଇନଥିଲେ, ସକ୍ରିୟ ପଂଜୀକୃତ ନିର୍ମାଣ ଶ୍ରମିକମାନେ ଯଥାଶୀଘ୍ର ବ୍ୟାଙ୍କ ଯାଇ ନିଜ ଆଧାର ସହ ବ୍ୟାଙ୍କ ଖାତାକୁ ଯୋଡ଼ି ଏହାକୁ ଡିବିଟି ସକ୍ଷମ କରାଇବା ଆବଶ୍ୟକ; ଯାହା ସେମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ସ୍ୱତନ୍ତ୍ର କୋଭିଡ ସହାୟତା ରାଶି ପଠାଇବାକୁ ସହାୟକ ହେବ ବୋଲି ଶ୍ରମ କମିସନ କହିଛନ୍ତି ।
Powered by Froala Editor