ଘଡ଼ଘଡ଼ି ସହିତ ଝଡ଼ବର୍ଷା: ୫୦ରୁ ୬୦ କି.ମି. ବେଗରେ ପବନ ବହିବା ନେଇ ସତର୍କତା ଜାରି
ଭୁବନେଶ୍ୱର:ବଙ୍ଗୋପସାଗରରେ ସକ୍ରିୟ ଥିବା ଗଭୀର ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି ବୁଧବାର ରାତି କିମ୍ବା ଗୁରୁବାର ସକାଳ ସୁଦ୍ଧା ବିଶାଖାପାଟଣାମ୍ ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ତେବେ ଉପକୂଳ ଛୁଇଁବା ପୂର୍ବରୁ ସମୁଦ୍ରରେ ପବନରେ ବେଗ ଘଣ୍ଟାପ୍ରତି ୫୫ରୁ ୬୫ କି.ମି. ଓ ସର୍ବାଧିକ ୭୫ କି.ମି. ରହିପାରେ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ବୁଧବାରଠାରୁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲାକୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ଓ୍ବାର୍ନିଂ ଜାରି କରାଯାଇଛି। ଘଡ଼ଘଡ଼ି ସହିତ ଝଡ଼ବର୍ଷା ଓ ୫୦ରୁ ୬୦ କି.ମି. ବେଗରେ ପବନ ବହିବା ନେଇ ଏସବୁ ଜିଲାକୁ ସତର୍କ କରାଯାଇଛି। ଏଥିସହ ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲାକୁ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଓ୍ବାର୍ନିଂ ଦିଆଯାଇଛି। ଏହି ଜିଲାଗୁଡିକରେ ଝଡ଼ବର୍ଷା ସହ ୫୦ ରୁ ୬୦ କି.ମି. ବେଗରେ ପବନ ବହିପାରେ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ବରଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲାକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି।
Powered by Froala Editor