ପତ୍ନୀଙ୍କୁ ‘ମୂର୍ଖ’ କହିବା ସ୍ୱାମୀଙ୍କର ଖରାପ ସ୍ୱଭାବ, କିନ୍ତୁ ଅପରାଧ ଭାବେ ଗ୍ରହଣ କରାଯାଇପାରିବ ନାହିଁ
ପତ୍ନୀଙ୍କୁ ‘ମୂର୍ଖ’, କହିବା ସ୍ୱାମୀଙ୍କର ଖରାପ ସ୍ୱଭାବକୁ ଦର୍ଶାଇଥାଏ । କିନ୍ତୁ ଏଭଳି ଶବ୍ଦର ବ୍ୟବହାରକୁ କ୍ରୂରତା କିମ୍ବା ଅପରାଧିକ ଧମକ ଭାବେ ଗ୍ରହଣ କରାଯାଇପାରିବ ନାହିଁ । ସୁପ୍ରିମକୋର୍ଟ ସୋମବାର ଏହି ଟିପ୍ପଣୀ ଦେଇଛନ୍ତି । ଖଣ୍ଡପୀଠ କହିଛନ୍ତି ଯେ, ବୈବାହିକ ଜୀବନରେ ପତି-ପତ୍ନୀଙ୍କ ମଧ୍ୟରେ ଦୈନନ୍ଦିନ ଝଗଡା, ମତଭେଦ କିମ୍ବା କଠୋର ଶବ୍ଦର ପ୍ରୟୋଗ ସବୁ ସମୟରେ ଅପରାଧିକ ଆଇନ କିମ୍ବା କ୍ରୁରତାର ପରିଭାଷା ମଧ୍ୟରେ ଆସେନାହିଁ । ଯୌତୁକ ମାମଲାରେ ପ୍ରମାଣ ବିନା ସ୍ୱାମୀ କିମ୍ବା ଶାଶୁଘର ଲୋକଙ୍କୁ ଅଯଥାରେ ଦୋଷୀ କରାଯିବା ଉଚିତ୍ ନୁହେଁ । ମହିଳାଙ୍କ ବାପା ତାଙ୍କ ଶାଶୂଘର ଲୋକଙ୍କ ବିରୋଧରେ ମାନସିକ, ଶାରିରୀକ କ୍ରୁରତା, ଯୌତୁକ ନିର୍ଯାତନା ଅଭିଯୋଗ ଆଣିଥିଲେ । କିନ୍ତୁ ତାହା ପ୍ରମାଣିତ ହୋଇପାରିନାହିଁ ।
ଏହି ସମୟରେ ଜଷ୍ଟିସ ବିଭି ନାଗରତ୍ନା ଏବଂ ଜଷ୍ଟିସ ମନମୋହନଙ୍କ ଖଣ୍ଡପୀଠ କାନାଡାରେ ପତ୍ନୀଙ୍କ ଆତ୍ମହତ୍ୟା ମାମଲାରେ ପତିଙ୍କ ବିରୋଧରେ ରୁଜୁ ହୋଇଥିବା ଯୌତୁକ ହତ୍ୟା ଜନିତ ଏଫଆଇଆର ଏବଂ ସେଥିସହ ଜଡ଼ିତ ସମସ୍ତ ଅପରାଧିକ କାର୍ଯ୍ୟାନୁଷ୍ଠାନକୁ ରଦ୍ଦ କରିଛନ୍ତି ।
ସୂଚନା ଅନୁଧାୟୀ, ଅଭିଯୁକ୍ତ ପୀୟୁଷ ନରଲାୱାରଙ୍କ ବିବାହ ୨୦୨୧ ଜାନୁଆରୀ ୩ରେ ହୋଇଥିଲା । ୨୦୨୨ରେ ଦମ୍ପତି କାନାଡାର ଟରଣ୍ଟୋକୁ ଯାଇଥିଲେ । ତେବେ ୨୦୨୩ ଜୁନ୍ ୧୧ରେ ଟରଣ୍ଟୋସ୍ଥିତ ଆପାର୍ଟମେଣ୍ଟର ୨୨ତମ ମହଲାରୁ ଡେଇଁ ତାଙ୍କ ପତ୍ନୀ ଆତ୍ମହତ୍ୟା କରିଥିଲେ । ସୁଇସାଇଡ୍ ନୋଟ୍ରେ ସେ ବର୍ଷେରୁ ଅଧିକ ସମୟ ଧରି ଚାକିରି ନ ମିଳିବା ଯୋଗୁ ଅସଫଳ ଅନୁଭବ କରୁଥିବା ଦର୍ଶାଇଥିଲେ । ସେହି ନୋଟ୍କୁ ଆଧାର କରି ମହିଳାଙ୍କ ପିତା ମହାରାଷ୍ଟ୍ର ଔରଙ୍ଗାବାଦସ୍ଥିତ ସତାରା ପୁଲିସ ଷ୍ଟେସନରେ ଏକ ଏଫଆଇଆର କରିଥିଲେ । ସେଥିରେ ସେ ପୀୟୁଷଙ୍କ ବିରୋଧରେ ଯୌତୁକ ହତ୍ୟାର ଅଭିଯୋଗ ଆଣିଥିଲେ । ୨୦୧୫ ଫେବ୍ରୁଆରୀ ୪ରେ ପୀୟୁଷଙ୍କ ବିରୋଧରେ ଜାମିନବିହୀନ ପରୱାନା ଜାରି ହୋଇଥିଲା । ଏହି ବିରୋଧରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ଗତବର୍ଷ ଅଗଷ୍ଟ ୧୧ ତାରିଖରେ ତାଙ୍କ ବିରୋଧରେ କୌଣସି ପ୍ରକାର ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ ।
Powered by Froala Editor