ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିବାକୁ ବିଜେଡିର ଦାବି
ବରଗଡ଼: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ବରଗଡ଼ ଜିଲା ବିଜେଡିର ଅଭିଯୋଗ ଅନୁଯାୟୀ, ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା, ଦିବ୍ୟାଙ୍ଗ ଭତ୍ତା ଓ ବିଧବା ଭତ୍ତା ଭଳି ସାମାଜିକ ସୁରକ୍ଷା ଯୋଜନା ମାଧ୍ୟମରେ ଲକ୍ଷାଧିକ ଅସହାୟ ଲୋକ ଉପକୃତ ହେଉଛନ୍ତି। ତେବେ ଦୀର୍ଘ ୧ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପ୍ରତିମାସରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଠିକ୍ ସମୟରେ ଭତ୍ତା ଟଙ୍କା ଆସୁନାହିଁ।
ଆଗକୁ ପଶ୍ଚିମ ଓଡ଼ିଶାର ମୁଖ୍ୟ କୃଷିଭିତ୍ତିକ ଗଣପର୍ବ ନୂଆଖାଇ ଆସୁଥିବାରୁ ଆସନ୍ତା ୧୫ ତାରିଖ ସୁଦ୍ଧା ସମସ୍ତ ହିତାଧିକାରୀଙ୍କୁ ସେମାନଙ୍କ ପ୍ରାପ୍ୟ ଭତ୍ତା ତୁରନ୍ତ ପ୍ରଦାନ କରିବା ସହ ନୂତନ ଆବେଦନକାରୀଙ୍କୁ ମଧ୍ୟ ଭତ୍ତା ଯୋଗାଇ ଦେବାକୁ ବିଜେଡି ଦାବି କରିଛି। ନୂଆଖାଇ ପୂର୍ବରୁ ଭତ୍ତା ନମିଳିଲେ ହିତାଧିକାରୀମାନେ ପର୍ବ ପାଳନରେ ହଟହଟା ହେବେ, ତେଣୁ ଏଥିରେ ରାଜ୍ୟପାଳ ତୁରନ୍ତ ହସ୍ତକ୍ଷେପ କରି ନିର୍ଦ୍ଦେଶ ଦେବାକୁ ନିବେଦନ କରାଯାଇଛି। ଦାବି ପୂରଣ ନହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ବିଜେଡି ଚେତାବନୀ ଦେଇଛି।
ଜିଲା ବିଜେଡି ସଭାପତି ସୁଶାନ୍ତ କୁମାର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ମନ୍ତ୍ରୀ ରୀତା ସାହୁ, ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ସୁବ୍ରତ ସିଂ, ଗୌରହରି ମିଶ୍ର, ପ୍ରଦ୍ୟୁମ୍ନ ତ୍ରିପାଠୀ, ଉମେଶ ପଣ୍ଡା, କିଶୋର ମିଶ୍ରଙ୍କ ସମେତ ବହୁସଂଖ୍ୟକ ନେତା, କର୍ମୀ ଓ ହିତାଧିକାରୀ ସାମିଲ ହୋଇଥିଲେ।
Powered by Froala Editor