ବୃଦ୍ଧି ପାଉଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର
ବାଲେଶ୍ବର: ସୁବର୍ଣ୍ଣରେଖା ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବା ପରେ ଉପକୂଳ ତଥା ତଳିଆ ଅଞ୍ଚଳରେ ବନ୍ୟା ଭୟ ଘନେଇବାରେ ଲାଗିଛି । ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଜିଲ୍ଲାର ଚାରୋଟି ପ୍ରମୁଖ ବ୍ଲକ ବସ୍ତା, ବାଲିଆପାଳ, ଜଳେଶ୍ୱର ଓ ଭୋଗରାଇର ଲୋକମାନେ ଘୋର ଅସୁବିଧାର ସମ୍ମୁଖୀନ ହେବା ସହ ଭୟଭୀତ ଅବସ୍ଥାରେ ରହିଛନ୍ତି ।
ଫଳରେ ଉପରମୁଣ୍ଡ ଓ ତଳମୁଣ୍ଡରେ ଜଳସ୍ତର ଆହୁରି ବଢ଼ି ବନ୍ୟା ପରିସ୍ଥିତି ସଂଗୀନ ହେବାର ଆଶଙ୍କା କରାଯାଉଛି । ପ୍ରଶାସନିକ ସ୍ତରରେ ଏଥିପାଇଁ ତଳିଆ ଅଞ୍ଚଳର ଲୋକମାନଙ୍କୁ ସ୍ଥାନାନ୍ତର କରିବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଓଡ୍ରାଫ, ଏନଡିଆରଏଫ, ଅଗ୍ନିଶମ ବିଭାଗର ଟିମ୍ ବନ୍ୟାଞ୍ଚଳରେ ସଜାଗ ରହିଛନ୍ତି ।
ବାଲିଆପାଳ ବ୍ଲକ ଅନ୍ତର୍ଗତ ବିଷ୍ଣୁପୁରା ପଞ୍ଚାୟତରେ ବନ୍ୟାଜଳ ପ୍ରବେଶ କରିସାରିଛି । ଗାଁର ମୁଖ୍ୟ ରାସ୍ତା ଉପରେ ପ୍ରାୟ ଦୁଇ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି, ଯାହାଫଳରେ ଗମନାଗମନ ବାଧାପ୍ରାପ୍ତ ହୋଇଛି । ଗ୍ରାମର ଅନେକ ଲୋକ ଏବେ ଜଳବନ୍ଦୀ ଅବସ୍ଥାରେ ରହିଥିବା ସୂଚନା ମିଳିଛି । ଘରଦ୍ୱାର ଓ ଚାଷ ଜମିରେ ପାଣି ଜମି ରହିବାରୁ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।
ଅନ୍ୟପଟେ ନଦୀବନ୍ଧର ସୁରକ୍ଷା ଓ ସ୍ଥାୟିତ୍ୱକୁ ନେଇ ସ୍ଥାନୀୟ ବାସିନ୍ଦା ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ବନ୍ଧ ଦୁର୍ବଳ ଥିବା କିଛି ସମ୍ବେଦନଶୀଳ ସ୍ଥାନରେ ଜଳ ପ୍ରବାହ ରୋକିବା ପାଇଁ ବାଲି ବସ୍ତା ପକାଇ ଅସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରାଯାଇଛି । ତେବେ ଜଳସ୍ତର ଯଦି ଆହୁରି ବୃଦ୍ଧି ପାଏ, ତେବେ ଏହି ଅସ୍ଥାୟୀ ବ୍ୟବସ୍ଥା କେତେଦୂର ସହାୟକ ହେବ, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
Powered by Froala Editor