ନିଜ ଘରୁ ଚୋରି କରି ପୂଜକ ଗିରଫ

ଭୁବନେଶ୍ୱର : ସଂପତି ଲୋଭରେ ନିଜ ଘରୁ ଚୋରି କରି ଜଣେ ପୂଜକ ଗିରଫ ହୋଇଛନ୍ତି । ମା’ଙ୍କ ସଂପତି ବଡ଼ଭାଇ, ଭଉଣୀଙ୍କୁ ନଦେବା ପାଇଁ ଚୋରି ନାଟକ ରଚି ବିଭ୍ରାନ୍ତି ସୃଷ୍ଟି କରିଥିଲେ । କିନ୍ତୁ ପୂରା ଘଟଣା ଉପରୁ ପର୍ଦ୍ଧା ଉଠାଇଛି ରାୟଗଡ଼ା ପୁଲିସ ।
ଘଟଣାର ଅଭିଯୋଗକାରୀ ବି.ବିଶ୍ୱ ଗଣପତି ଶର୍ମାଙ୍କୁ ପୁଲିସ ଗିରଫ କରିଛି । ଏଥିସହିତ ଚୋରି ହୋଇଥିବା ନଗଦ ୨୪ ଲକ୍ଷ ଟଙ୍କା ସହ ସୁନା ଗହଣାକୁ ମଧ୍ୟ ଉଦ୍ଧାର କରିଛି । ଜଣେ ପୂଜକ ସଂପତି ଲୋଭରେ ନିଜେ କରିଥିବା ଷଡ଼ଯନ୍ତ୍ରରେ ନିଜେ ଫସିବା ଘଟଣା ରାୟଗଡ଼ା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ରାୟଗଡ଼ା ସହରର ରୟତ କଲୋନି ଷଷ୍ଠ ଲାଇନରେ ମା’ଙ୍କ ସହ ବହୁ ବର୍ଷ ହେଲା ରହି ଆସୁଛନ୍ତି ବିଶ୍ୱ ଗଣପତି ଶର୍ମା । ବାପା ପୂଜକ ଥିଲେ ଏବଂ ତାଙ୍କ ପରଲୋକ ପରେ କଲୋନିରେ ଥିବା ଶିବ ମନ୍ଦିରରେ ଗଣପତି ପୂଜକ ଭାବେ କାମ କରିବା ସହ ଜଜମାନ କାମ କରୁଥିଲେ । ବଡ଼ଭାଇ ବି.ସାଇ ଶର୍ମା ମଧ୍ୟ ମନ୍ଦିରର ପୂଜକ କାମ କରୁଥିବା ବେଳେ କଲୋନିର ଅନ୍ୟ ଏକ ଘରେ ନିଜ ପରିବାର ସହ ରହୁଛନ୍ତି । ଆନ୍ଧ୍ରପ୍ରଦେଶରେ ପେନସନ ସଂପର୍କିତ କାମ ରହିଥିବାରୁ ଗଣପତି ମା’ଙ୍କୁ ନେଇ ଜୁଲାଇ ୨୫ ତାରିଖରେ ପାଲକୋଣ୍ଡା ଯାଇଥିଲେ । ଜୁଲାଇ ୩୧ ସକାଳେ ଗଣପତି ପହଁଚିବା ପରେ ଘର ତାଲା ଭାଙ୍ଗି ଟଙ୍କା, ସୁନା ଚୋରି ହୋଇଥିବା ସଂପର୍କରେ ମା’ଙ୍କୁ ଅବଗତ କରିବା ସହ ରାୟଗଡ଼ା ଥାନାରେ ଏତଲା ଦେଇଥିଲେ । ଚୋରି ଅଭିଯୋଗ ପରେ ଡଗସ୍କ୍ୱାଡ ଦ୍ୱାରା ପୁଲିସ୍ ତଦନ୍ତ ଆରମ୍ଭ କରିଥିଲା । ଗଣପତିଙ୍କ ଘରୁ କୁକୁର ବାହାରି କିଛି ବାଟ ଯିବା ପରେ ବଡ଼ଭାଇ ବି. ସାଇ ଶର୍ମାଙ୍କ ଘରେ ପଶିଥିଲା । ପୁଲିସ ସନେ୍ଦହରେ ତାଙ୍କୁ ପଚରାଉଚରା କରିବା ପରେ ସଂପତି ଭାଗବଂଟାକୁ ନେଇ ଚାଲିଥିବା ବିବାଦ ପଦାକୁ ଆସିଥିଲା । ବଡ଼ ଭାଇ ସାଇ ଶର୍ମାଙ୍କ ନିକଟରୁ ପୁଲିସ କିଛି ସୁରାକ ନ ପାଇବା ପରେ ଗଣପତିଙ୍କ ଉପରେ ସନେ୍ଦହ କରି ତଦନ୍ତ ଆରମ୍ଭ କରିଥିଲା । କିନ୍ତୁ ପୁଲିସ ତଦନ୍ତରେ ଗଣପତି ନିଜେ ହିଁ ଚୋରି କରିଥିବା ସ୍ପଷ୍ଟ ହେବା ପରେ ମିଥ୍ୟା ଅଭିଯୋଗ ସଂପର୍କରେ ଜଣାପଡ଼ିଥିଲା ।
Powered by Froala Editor