ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ୟୁନେସ୍କୋର ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚିଠି
ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ୟୁନେସ୍କୋର ‘ଇନ୍ଣ୍ଟାନଜିବୁଲ କଲ୍ଚର ହେରିଟେଜ ଅଫ୍ ହ୍ୟୁମାନିଟି’ ତାଲିକାରେ ସାମିଲ କରିବା ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ପୁନର୍ବାର କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡ଼ାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତଙ୍କୁ ଚିଠି ଲେଖି ପ୍ରସ୍ତାବଟିକୁ ପ୍ରାଥମିକତା ଭିତ୍ତିରେ ଆଗକୁ ବଢ଼ାଇବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି।
ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ(ଏସ୍ଜେଟିଏ) ପକ୍ଷରୁ ରଥଯାତ୍ରାକୁ ୟୁନେସ୍କୋର ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନ ଦେବା ପାଇଁ ଆବଶ୍ୟକ ପ୍ରସ୍ତାବ ଓ ସମସ୍ତ ସହାୟକ ଦସ୍ତାବିଜ ନିର୍ଦ୍ଧାରିତ ଢାଞ୍ଚାରେ ପୂର୍ବରୁ ଦାଖଲ କରାଯାଇଛି। ବର୍ତ୍ତମାନ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ସକ୍ରିୟ ସହଯୋଗ ମିଳିଲେ ଏହି ପ୍ରସ୍ତାବକୁ ୟୁନେସ୍କୋ ନିକଟରେ ଶୀଘ୍ର ଆଗକୁ ବଢ଼ାଇବା ସମ୍ଭବ ହେବ ବୋଲି ସେ ଉଲ୍ଲେଖ କରିଛନ୍ତି। ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ଏହା ଭାରତର ସମୃଦ୍ଧ ସଭ୍ୟତା, ସାଂସ୍କୃତିକ ବିବିଧତା, ସମାବେଶୀ ପରମ୍ପରା, ଆଧ୍ୟାତ୍ମିକ ଚେତନା, କାରିଗରି କୌଶଳ, ସଙ୍ଗୀତ, ନୃତ୍ୟ ଓ ସାମୁଦାୟିକ ଏକତାର ପ୍ରତୀକ। ଦୀର୍ଘବର୍ଷ ଧରି ପାଳିତ ହୋଇଆସୁଥିବା ଏହି ମହାପର୍ବ ପ୍ରତ୍ୟେକ ବର୍ଷ ଦେଶ ଓ ବିଦେଶରୁ ଲକ୍ଷ ଲକ୍ଷ ଭକ୍ତ ଓ ପର୍ଯ୍ୟଟକଙ୍କୁ ପୁରୀକୁ ଆକର୍ଷିତ କରିଥାଏ ଏବଂ ଭାରତର ଜୀବନ୍ତ ସାଂସ୍କୃତିକ ଐତିହ୍ୟର ଏକ ଅନନ୍ୟ ପ୍ରତୀକ ଭାବେ ପରିଚିତ। କେନ୍ଦ୍ରମନ୍ତ୍ରୀ ଏହି ପ୍ରସ୍ତାବକୁ ପ୍ରାଥମିକତା ଦେଇ ୟୁନେସ୍କୋ ସମ୍ମୁଖରେ ଆଗକୁ ନେବା ପାଇଁ ଆବଶ୍ୟକ ସହଯୋଗ ଲାଗି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।
Powered by Froala Editor