ଦେଶର ଶ୍ରେଷ୍ଠ ମେଡ଼ିକାଲ ତାଲିକାରେ ଏମ୍ସ ଭୁବନେଶ୍ୱର

ଭୁବନେଶ୍ୱର : ଦେଶର ଶ୍ରେଷ୍ଠ ମେଡିକାଲ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏମ୍ସ ଭୁବନେଶ୍ୱରକୁ ସପ୍ତମ ସ୍ଥାନ ଦେଇଛି ଇଂରାଜୀ ପତ୍ରିକା ଇଣ୍ଡିଆ ଟୁଡେ । ଏ ସଂକ୍ରାନ୍ତରେ ପ୍ରକାଶିତ ରିପୋର୍ଟକୁ ଟ୍ୱିଟ କରିଛନ୍ତି ଏମ୍ସ ଭୁବନେଶ୍ୱରର ନିର୍ଦେଶିକା ପ୍ରଫେସର ଗୀତାଞ୍ଜଳି ବି । ଏଭଳି ସମ୍ମାନଜନକ ସ୍ଥାନ ପାଇଁ ଏମ୍ସ ଭୁବନେଶ୍ୱର ଓଡ଼ିଶାର ଗୌରବ ବୃଦ୍ଧି କରିଥିବାବେଳେ ରାଜ୍ୟବାସୀଙ୍କ ମନରେ ଆନନ୍ଦ ସୃଷ୍ଟି କରିଛି । ଇଣ୍ଡିଆ ଟୁଡେ’ର ରିପୋର୍ଟ ଅନୁଯାୟୀ, ପୂର୍ବ ଦୁଇ ବର୍ଷ ଭଳି ତୃତୀୟ ବର୍ଷ ପାଇଁ ଏମ୍ସ ଦିଲ୍ଲୀ ପ୍ରଥମ ସ୍ଥାନରେ ରହିଛି । ସେହିପରି ପୁଡୁଚେରି ସ୍ଥିତ ଜବାହାର ଇନଷ୍ଟିଚୁ୍ୟଟ ଅଫ ପୋଷ୍ଟ ଗ୍ରାଜୁଏଟ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ (ଜିପମାର) ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ କିଙ୍ଗ ଜର୍ଜ ମେଡିକାଲ ବିଶ୍ୱବିଦ୍ୟାଳୟ, ଲକ୍ଷ୍ନୌ ତୃତୀୟ ସ୍ଥାନ ଅଧିକାର କରିଛି । ସେହିପରି ବାଙ୍ଗାଲୁରୁ ସ୍ଥିତ ନିମହାନ୍ସ ଚଳିତ ବର୍ଷ ପ୍ରଥମ ଥର ପାଇଁ ଚତୁର୍ଥ ସ୍ଥାନରେ ରହିଥିବାବେଳେ ହରିୟାଣାର ରୋହତକ ସ୍ଥିତ ପଣ୍ଡିତ ଭାଗବତ ଦୟାଲ ଶର୍ମା ମେଡିକାଲ ସାଇନ୍ସ ବିଶ୍ୱବିଦ୍ୟାଳୟ ପଞ୍ଚମ, ଏମ୍ସ ଯୋଧପୁର ଷଷ୍ଠ, ଏମ୍ସ ଭୁବନେଶ୍ୱର ସପ୍ତମ, ଚେନ୍ନାଇ ସ୍ଥିତ ଶ୍ରୀରାମଚନ୍ଦ୍ର ଇନଷ୍ଟିଚୁ୍ୟଟ ଅଫ ହାୟର ଏଜୁକେସନ ଆଣ୍ଡ ରିସର୍ଚ ଅଷ୍ଟମ, ନୂଆଦିଲ୍ଲୀ ସ୍ଥିତ ଇନଷ୍ଟିଚୁ୍ୟଟ ଅଫ ଲିଭର ଆଣ୍ଡ ବିଲିଆରି ସାଇନ୍ସ ନବମ ଏବଂ ମହିସୁର ସ୍ଥିତ ଜେଏସଏସ ଏକାଡେମି ଅଫ ହାୟର ଏଜୁକେସନ ଆଣ୍ଡ ରିସର୍ଚ ଦଶମ ସ୍ଥାନରେ ରହିଛି । ଏମଏସ ଏବଂ ଏମଡିରେ ନାମଲେଖା ପାଇଁ ସର୍ବନିମ୍ନ ଫି’ ନେବାରେ ଏମ୍ସ ଦିଲ୍ଲୀ, ଯୋଧପୁର ଏମ୍ସ ଏବଂ ଭୁବନେଶ୍ୱର ଏମ୍ସକୁ ପ୍ରଶଂସା କରାଯାଇଛି । ସୁପର ସ୍ପେସାଲିଟି ବିଭାଗରେ ଏମ୍ସ ଦିଲ୍ଲୀରୁ ସର୍ବାଧିକ ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହେଉଛନ୍ତି । ତେବେ ଲକ୍ଷ୍ନୌ ସ୍ଥିତ କିଙ୍ଗ ଜର୍ଜ ମେଡିକାଲ ବିଶ୍ୱବିଦ୍ୟାଳୟ ଓପିଡିକୁ ଦିନକୁ ସର୍ବାଧିକ ହାରାହାରି ୪୭୩୧ ରୋଗୀ ଯାଉଥିବା ଦର୍ଶାଯାଇଛି । ବିଦ୍ୟାର୍ଥୀ ଏବଂ ଫେକଲଟି ଅନୁପାତରେ ସିକିମ ମନିପାଲ ବିଶ୍ୱବିଦ୍ୟାଳୟ ଉପରେ ରହିଛି ।
Powered by Froala Editor