୫ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରି ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଇଣ୍ଡିଆନ ଆଇଡଲ ସିଜିନ-୧୬ର ବିଜେତା ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ତାଙ୍କ ସରକାରୀ ବାସଭବନରେ ସମ୍ବର୍ଦ୍ଧିତ କରିଛନ୍ତି। ଏଥିସହିତ ଜ୍ୟୋତିର୍ମୟୀଙ୍କ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ନିଜ ପ୍ରତିଭା ଓ କଠିନ ସାଧନା ବଳରେ ଜାତୀୟ ସ୍ତରରେ ବିଜେତା ହୋଇ ରାଜ୍ୟ ପାଇଁ ସେ ଗୌରବ ଆଣିଥିବା କହିଛନ୍ତି। ନୂଆ ପିଢିର କଣ୍ଠଶିଳ୍ପୀଙ୍କ ପାଇଁ ଜ୍ୟୋତିର୍ମୟୀ ଏକ ପ୍ରେରଣା ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ଏହି ଅବସରରେ ଜ୍ୟୋତିର୍ମୟୀ ଇଣ୍ଡିଆନ ଆଇଡଲ ଟ୍ରଫି ପ୍ରଦର୍ଶନ କରିବା ସହିତ ସଫଳତା ପଛରେ ଥିବା ତାଙ୍କ କଠିନ ପରିଶ୍ରମ ଓ ଅଧ୍ୟବସାୟ ବିଷୟରେ ବର୍ଣ୍ଣନା କରିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ ଡ. ପ୍ରିୟଙ୍କା ମାରାଣ୍ଡି, ଜ୍ୟୋତିର୍ମୟୀଙ୍କ ପିତା ଚକ୍ରଧର ନାୟକ ଓ ମାତା ଗୌରୀ ନାୟକ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଜ୍ୟୋତିର୍ମୟୀଙ୍କ ଘର ବାଲେଶ୍ୱର ଜିଲା ନୀଳଗିରି ବ୍ଲକ୍ରେ ହୋଇଥିବାବେଳେ ସେ ପରିବାର ସହ ଭୁବନେଶ୍ୱରରେ ରହୁଛନ୍ତି।
Powered by Froala Editor