୮ ଜିଲାରେ ସମସ୍ତ ସ୍କୁଲ,କଲେଜ ଓ ଅଙ୍ଗନବାଡି ବନ୍ଦ
ଭୁବନେଶ୍ୱର: ଆଜି ୮ ଜିଲାରେ ସମସ୍ତ ସ୍କୁଲ,କଲେଜ ଓ ଅଙ୍ଗନବାଡି ବନ୍ଦ।ଉତ୍ତର ଏବଂ ପଶ୍ଚିମ ଓଡ଼ିଶାର ୮ ଜିଲାରେ ଶିକ୍ଷାନୁଷ୍ଠାନ ବନ୍ଦ । ଭଦ୍ରକ, କେନ୍ଦୁଝର, ଯାଜପୁର, ବରଗଡ଼, ସମ୍ବଲପୁର, ସୁନ୍ଦରଗଡ, ଦେବଗଡ଼,ସୋନପୁରରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ପ୍ରବଳ ବର୍ଷା ସହ ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ଜିଲାପାଳ ନିଷ୍ପତ୍ତି ନେଇଛନ୍ତି।
ଉତ୍ତର- ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଜନିତ ବର୍ଷାକୁ ନେଇ ଏବେ ରାଜ୍ୟର ତିନୋଟି ନଦୀରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ସାଳନ୍ଦୀ, ଜଳକା ଓ ବୈତରଣୀରେ ଜଳସ୍ତର ବିପଦ ସଙ୍କେତ ଡେଇଁଛି। ବନ୍ୟାଜଳ ସହରାଞ୍ଚଳ ଓ ଗାଁଗଣ୍ଡାରେ ପଶିଲାଣି। ଏପରିକି ଭଦ୍ରକ ସମେତ କେତେକ ଜିଲାର ଲୋକେ ଜଳଘେରରେ ରହିଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଶ୍ୱସ୍ତ କରାଯିବା ସହ ସବୁପ୍ରକାର ସ୍ଥିତି ମୁକାବିଲା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ମଙ୍ଗଳବାର ବିଭାଗୀୟ ଅଧିକାରୀଙ୍କ ସହ ଲୋକସେବା ଭବନରେ ସମୀକ୍ଷା ବୈଠକ ପରେ ପୂଜାରୀ ଗଣମାଧ୍ୟମକୁ କହିଛନ୍ତି, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ାରେ ଏବେ ବି ବର୍ଷା ଲାଗିରହିଛି। ଉପରମୁଣ୍ଡରେ ବର୍ଷା ହେଉଥିଲେ ହେଁ ରାଜ୍ୟରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବନ୍ୟାକୁ ନେଇ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି। ସାରା ଓଡ଼ିଶାରେ ହାରାହାରି ୪୭.୨ ମିଲିମିଟର ବର୍ଷା ହୋଇଛି। ନୀଳଗିରିରେ ସବୁଠୁ ଅଧିକ ୨୩୯ ମିଲିମିଟର ବର୍ଷା ହୋଇଛି। ୮ଟି ବ୍ଲକରେ ୨୦୦ ମିଲିମିଟର ବର୍ଷା ହୋଇଛି। ଗତ ୮ ଦିନ ଭିତରେ ସ୍ବାଭାବିକଠୁ ୮୪ପ୍ରତିଶତ ଅଧିକ ବର୍ଷା ହୋଇଛି। ଉପରମୁଣ୍ଡରେ ବର୍ଷା ହେଉଛି, ତଳମୁଣ୍ଡରେ ବର୍ଷା କମ୍ ଥିବାରୁ ସେମିତି କିଛି ସମସ୍ୟା ନାହିଁ। ୨୪ ଘଣ୍ଟା ଭିତରେ ୭ ଲକ୍ଷ କ୍ୟୁସେକ୍ ଜଳ ମୁଣ୍ଡଳୀରେ ପହଞ୍ଚିବ। ଏବେ କିଛି ସମସ୍ୟା ନାହିଁ। ବର୍ତ୍ତମାନ ବୈତରଣୀ, ସାଳନ୍ଦୀ ଓ ଜଳକାରେ ଜଳସ୍ତର ବିପଦ ସଙ୍କେତ ଟପିଛି। ବନ୍ୟାଜଳ ସହରାଞ୍ଚଳରେ ପଶିଛି। ବହୁ ଲୋକ ଜଳଘେରରେ ଅଛନ୍ତି। ଓଡ୍ରାଫ୍ ଟିମ୍ ପକ୍ଷରୁ ସେମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏନ୍ଡିଆର୍ଏଫ୍ ଟିମ୍ ହାଇ ଆଲର୍ଟ ମଧ୍ୟରେ ଅଛି। ଭଦ୍ରକ ଓ ସୁନ୍ଦରଗଡ଼ର କିଛି ସ୍ଥାନରୁ ଲୋକଙ୍କୁ ଅନ୍ୟ ଜାଗାକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ପାଣିପାଗ ବିଭାଗର ପ୍ରାକ୍ ସୂଚନା ଅନୁଯାୟୀ, ବୁଧବାର ପର୍ଯ୍ୟନ୍ତ ବର୍ଷା ଜାରି ରହିବ।
Powered by Froala Editor