ଚାଷୀଙ୍କ ଚିନ୍ତା ବଢ଼ାଇଛି ସାର ଅଭାବ, ରାତି ୩ ରୁ ଆରସିଏମ୍ଏସ୍ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଲମ୍ବାଧାଡ଼ି
ସୁନ୍ଦରଗଡ଼ : ଖରିଫ ଚାଷ ଆରମ୍ଭ ହେବା ସହିତ ସୁନ୍ଦରଗଡ଼ ଜିଲାରେ ୟୁରିଆ ସାରର ଗୁରୁତର ଅଭାବ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ୟୁରିଆ ଆସିଛି ବୋଲି ପ୍ରଚାର ହେବାରୁ ସୋମବାର ରାତି ୩ଟାରୁ ସୁନ୍ଦରଗଡ଼ ଆରସିଏମ୍ଏସ୍ କାର୍ଯ୍ୟାଳୟ ସମ୍ମୁଖରେ ଶହଶହ ଚାଷୀ ଲମ୍ବାଧାଡ଼ିରେ ଅପେକ୍ଷା କରିଥିଲେ। ଚାଷୀମାନେ ନିଜନିଜ ଆଧାର କାର୍ଡକୁ ଧାଡ଼ିରେ ଲଗାଇ ତା’ ଉପରେ ଇଟାପଥର ଥୋଇଥିଲେ। ଏଥିରୁ ଜିଲାରେ ସାର ସଙ୍କଟ କେତେ ଉତ୍କଟ, ତାହା ପ୍ରମାଣିତ ହୋଇଛି।
ଆରସିଏମଏସ କାର୍ଯ୍ୟାଳୟ ସକାଳ ୧୦ରେ ଖୋଲୁଥିଲେ ମଧ୍ୟ ବିଳମ୍ବ କଲେ କାଳେ ସାର ମିଳିବ ନାହିଁ; ସେହି ଆଶଙ୍କାରେ ଚାଷୀମାନେ ରାତି ଅନିଦ୍ରା ହୋଇ ଏଠାରେ ପହଞ୍ଚି ଯାଇଥିଲେ। କେହି ନିଜ ଆଧାର କାର୍ଡ ରଖି ତ ଆଉ କେହି ବ୍ୟାଗ୍ ରଖି ଧାଡ଼ିରେ ନିଜ ସ୍ଥାନ ସଂରକ୍ଷିତ କରିଥିଲେ। ସକାଳ ହେଉହେଉ ଚାଷୀଙ୍କ ଭିଡ଼ ବଢ଼ି କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।
ଚାଷୀମାନେ କହିଛନ୍ତି ଯେ ଧାନ ଚାଷ ପାଇଁ ଏବେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମୟ। ଏହି ସମୟରେ ୟୁରିଆ ସାର ନ ଦେଲେ ଫସଲ ଉତ୍ପାଦନ କମିଯିବ ଓ ସେମାନଙ୍କ ଆର୍ଥିକ କ୍ଷତି ହେବ। ପ୍ରତିବର୍ଷ ଏଭଳି ଘଡ଼ିସନ୍ଧି ସମୟରେ ସାର ଅଭାବ ହେଉଥିବାରୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ସୁନ୍ଦରଗଡ଼ ଆରସିଏମଏସ ଦାୟିତ୍ବରେ ଥିବା ସମବାୟ ସମିତି ସହ-ନିବନ୍ଧକ ଦୌମନିକ ଲାକ୍ରା କହିଛନ୍ତି ଯେ ସୁନ୍ଦରଗଡ଼ ଜିଲାରେ ଆଜି ପ୍ରଥମ କରି ସାର ବଣ୍ଟନ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୫ ଶହ ବସ୍ତା ଡିଏପି ଓ ୪୮୦ଟି ୫ ଶହ ମିଲିଲିଟର ବିଶିଷ୍ଟ ନାନୋ ୟୁରିଆ ଆସିଛି। ଦିନକୁ ୬୦ଜଣ ଚାଷୀଙ୍କୁ ସାର ବଣ୍ଟାଯିବ ବୋଲି ଆଗରୁ ଘୋଷଣା କରାଯାଇଥିଲା। କିନ୍ତୁ ଚାଷୀମାନେ ବ୍ୟତିବ୍ୟସ୍ତ ହୋଇ ଅଧିକ ସଂଖ୍ୟାରେ ଆସି ଯାଇଥିଲେ। ପ୍ରଥମ ଦିନ ବୋଲି ଟିକେ ସମସ୍ୟା ହେଲା। ଆଗକୁ ସାର ବଣ୍ଟନକୁ ବ୍ୟବସ୍ଥିତ କରାଯିବ ବୋଲି ଶ୍ରୀ ଲାକ୍ରା କହିଛନ୍ତି।
Powered by Froala Editor