୧୯ ଓ ୨୦ ରେ ଭାରି ବର୍ଷା
ଭୁବନେଶ୍ୱର; ଆସନ୍ତା ଦୁଇ ଦିନ ଯାଏ ରାଜ୍ୟରେ ବର୍ଷା ଜାରି ରହିବ । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ ପ୍ରଭାବରେ ବିସ୍ତୃତ ଅଞ୍ଚଳରେ ପ୍ରବଳ ବର୍ଷା ହେବ । ୧୯ ଓ ୨୦ ତାରିଖରେ ବିକ୍ଷିପ୍ତ ସ୍ଥାନରେ ଭାରୀ ବର୍ଷା ହୋଇପାରେ । ଆସନ୍ତା ୨୪ ବା ୨୫ ତାରିଖରେ ଉତ୍ତର ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ (ଆଇଏମ୍ଡି ) ବିସ୍ତାରିତ ଆକଳନ ଜାରି କରିଛି । ଆଇଏମ୍ଡି ଆକଳନ ଅନୁସାରେ, ୧୭ ତାରିଖ ବା ଶୁକ୍ରବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ନୂଆପଡ଼ା ଓ ବଲାଙ୍ଗିରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ସେହିପରି ଉତ୍ତର ଓଡ଼ିଶା, ପଶ୍ଚିମ ଓଡ଼ିଶା ଓ ଉପକୂଳ ଓଡ଼ିଶାର ବହୁ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୧୮ ତାରିଖରେ ଉତ୍ତର ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି ବୋଲି କୁହାଯାଇଛି । ୧୯ ଓ ୨୦ ତାରିଖରେ ଉତ୍ତର ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ବର୍ଷା ହୋଇପାରେ ।
ଆଇଏମ୍ଡିର ବିସ୍ତାରିତ ଆକଳନ କହୁଛି, ୨୨ ତାରିଖ ଯାଏ ପୂର୍ବ ଓ ଉତ୍ତର ପୂର୍ବ ଭାରତରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ । ୧୭ ତାରିଖରେ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ ଆଉ ଘନୀଭୂତ ହେବନି । ୨ ଦିନରେ ଏହା ଦୁର୍ବଳ ହୋଇଯିବ । ୨୩ରୁ ୨୯ ତାରିଖ ଭିତରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହି ସମୟରେ ପୂର୍ବ ଓ କେନ୍ଦ୍ରୀୟ ଭାରତରେ ପାଖାପାଖି ସ୍ୱାଭାବିକ ଓ କିଛି ସ୍ଥାନରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇପାରେ । କିନ୍ତୁ ସପ୍ତାହରେ ରାଜ୍ୟରେ ବଡ଼ ବର୍ଷା ଆଶଙ୍କା ନାହିଁ ।
Powered by Froala Editor