ପ୍ରକାଶ ପାଇଲା ନିଟ୍-ୟୁଜି ୨୦୨୬ ପରୀକ୍ଷା ଫଳ
ଭୁବନେଶ୍ୱର: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ପକ୍ଷରୁ ନିଟ୍-ୟୁଜି ୨୦୨୬ ପରୀକ୍ଷା ଫଳ ଜାରି କରାଯାଇଛି । ଚଳିତଥର ଦେଶ ବିଦେଶର ୫୫୧ଟି ସହରରେ ୫,୪୪୦ ପରୀକ୍ଷା କେନ୍ଦ୍ରରେ ପ୍ରାୟ ୨୦ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୧୧ ଲକ୍ଷ ୨୧ ହଜାର କୃତକାର୍ଯ୍ୟ ହୋଇଛନ୍ତି । ଏହି ନମ୍ବର ଆଧାରରେ ସେମାନଙ୍କୁ ଦେଶର ବିଭିନ୍ନ ମେଡିକାଲ କଲେଜରେ ଏମବିବିଏସ ଓ ବିଡିଏସ୍ ସମେତ ବିଭିନ୍ନ ଡାକ୍ତରୀ ସ୍ନାତକ ବିଭାଗରେ ନାମଲେଖା ସୁଯୋଗ ମିଳିବ । କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ୫୮ ପ୍ରତିଶତ ହେଉଛନ୍ତି ଛାତ୍ରୀ । ୮ ରାଜ୍ୟର ୧୭ ରାଜ୍ୟ ଟପ୍ପର୍(ଷ୍ଟେଟ ଟପ୍ପର୍ସ) ୭୦୦ କିମ୍ବା ତା’ଠାରୁ ଅଧିକ ନମ୍ବର ରଖିଛନ୍ତି ।ମିଳିଥିବା ସୂଚନା ମୁତାବକ ନିଟ୍ ପରୀକ୍ଷାରେ ପଞ୍ଜାବର ଆର୍ଯ୍ୟାନ ଗୁପ୍ତା ଓ ହରିଆନାର ପାଂଶୁଲ ବଂଶଲ ସର୍ବଭାରତୀୟ ଯୁଗ୍ମ ଟପର୍ ହୋଇଥିବା ବେଳେ ସାତ୍ତ୍ୱିକ ପଟ୍ଟନାୟକ ଓଡ଼ିଶା ଟପର୍ ହୋଇଛନ୍ତି । ସାତ୍ତ୍ୱିକ ଦେଶରେ ୪୦ତମ ର୍ୟାଙ୍କ ହାସଲ କରିବା ବେଳେ ମୋଟ ୯୯.୯୯୭୮୯୯୯ ପର୍ସେଣ୍ଟାଇଲ୍ ନମ୍ବର ରଖିଛନ୍ତି । ତେବେ ଓଡ଼ିଶାରେ ପାଖାପାଖି ୩ ହଜାର ମେଡିକାଲ୍ ସିଟ୍ ରହିଛି । ଯାହାର କାଉନସେଲିଂ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) କର୍ତ୍ତୃପକ୍ଷ କରିବେ । ୬୯୦ କିମ୍ବା ତାହାଠୁ ଅଧିକ ନମ୍ବର ରଖିଥିବା ୧୩୮ଜଣଙ୍କ ମଧ୍ୟରେ ଓଡ଼ିଶାର ଅମନ କୁମାର ନାୟକ ସର୍ବଭାରତୀୟ ସ୍ତରରେ ୮୦ ନମ୍ବର ର୍ୟାଙ୍କ ହାସଲ କରିଛନ୍ତି । ଅମନ ୯୯.୯୯୫୯୯୯୮ ପର୍ସେଣ୍ଟାଇଲ୍ ରଖିଛନ୍ତି । ସେହିପରି ଉତ୍ତରପ୍ରଦେଶରେ ସର୍ବାଧିକ ୧ ଲକ୍ଷ ୭୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି ।
ଅନ୍ୟପକ୍ଷରେ ଲାକ୍ଷାଦ୍ୱୀପରେ ସବୁଠାରୁ କମ୍ ମାତ୍ର ୪୩ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏଥର ୧୩୮ ଜଣ ପ୍ରାର୍ଥୀ ମୋଟ ୭୨୦ ନମ୍ବରରୁ ୬୯୦ରୁ ଅଧିକ ମାର୍କ ରଖିଛନ୍ତି । ସେମାନଙ୍କ ମଧ୍ୟରୁ ୯୩ ପ୍ରତିଶତରୁ ଅଧିକ ପ୍ରଥମଥର ପରୀକ୍ଷା ଦେଇଛନ୍ତି । ସେହିଭଳି ୯୯ ପ୍ରତିଶତ ଟପ୍ ନମ୍ବରଧାରୀଙ୍କ ବୟସ ୧୭ରୁ ୧୯ ବର୍ଷ ମଧ୍ୟରେ ରହିଛି । ନିଟ୍ ପରୀକ୍ଷା ୧୩ଟି ଭାଷାରେ ଆୟୋଜିତ ହୋଇଥିଲା । ଦେଶର ସମସ୍ତ ୩୬ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଛାତ୍ରଛାତ୍ରୀ ଏଥର ପରୀକ୍ଷା ଦେଇଥିଲେ । ନିଟ୍-ୟୁଜି ୨୦୨୬ ପରୀକ୍ଷା ପୂର୍ବରୁ ଗତ ମେ ୩ ତାରିଖରେ ଆୟୋଜିତ ହୋଇଥିଲା । କିନ୍ତୁ ପ୍ରଶ୍ନପତ୍ର ଲିକ୍ ଓ ଅନ୍ୟାନ୍ୟ କାରଣରୁ ଏହାକୁ ରଦ୍ଦ କରିବାକୁ ପଡିଥିଲା ।
Powered by Froala Editor