ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ମୟୂରଭଞ୍ଜ ଉଠା ଜଳସେଚନ ଅବସରପ୍ରାପ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ୨ ବର୍ଷ ଜେଲ, ଅବସରକାଳୀନ ପେନସନ ବନ୍ଦ
ଭୁବନେଶ୍ବର: ରାଜ୍ୟରେ ଦୁର୍ନୀତି ବିରୋଧରେ ଭିଜିଲାନ୍ସର କଡ଼ା ଆଭିମୁଖ୍ୟ ମଧ୍ୟରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ମୟୂରଭଞ୍ଜ ଉଠା ଜଳସେଚନ ବିଭାଗର ଅବସରପ୍ରାପ୍ତ କନିଷ୍ଠ ଯନ୍ତ୍ରୀ ଗଙ୍ଗାଧର ମହାନ୍ତଙ୍କୁ ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି।
ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ଗଙ୍ଗାଧର ମହାନ୍ତଙ୍କୁ ୨ ବର୍ଷର ସଶ୍ରମ କାରାଦଣ୍ଡ ସହ ୧ ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ଜରିମାନା ଅନାଦେୟ ହେଲେ ତାଙ୍କୁ ଅତିରିକ୍ତ କାରାଦଣ୍ଡ ଭୋଗିବାକୁ ପଡ଼ିବ।
ସୂଚନା ଅନୁଯାୟୀ, ଦୁର୍ନୀତି ନିବାରଣ ଆଇନ–୧୯୮୮ର ଧାରା ୧୩(୨) ସହ ୧୩(୧)(ଇ) ଏବଂ ଭାରତୀୟ ଦଣ୍ଡ ସଂହିତାର ଧାରା ୧୦୯ ଅନୁଯାୟୀ ଓଡ଼ିଶା ଭିଜିଲାନ୍ସ ଗଙ୍ଗାଧର ମହାନ୍ତଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାର୍ଜସିଟ୍ ଦାଖଲ କରିଥିଲା। ମାମଲାରେ ଉପସ୍ଥାପିତ ସାକ୍ଷ୍ୟ ଓ ପ୍ରମାଣକୁ ବିଚାର କରି ଅଦାଲତ ଏହି ରାୟ ପ୍ରଦାନ କରିଛନ୍ତି।ଅଦାଲତଙ୍କ ରାୟ ପରେ ଅବସରପ୍ରାପ୍ତ ଜେଇ ଗଙ୍ଗାଧର ମହାନ୍ତଙ୍କ ଅବସରକାଳୀନ ପେନସନ ବନ୍ଦ କରିବା ପାଇଁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ସକ୍ଷମ କର୍ତ୍ତୃପକ୍ଷଙ୍କ ନିକଟରେ ପ୍ରକ୍ରିୟା ଆରମ୍ଭ କରାଯାଇଛି।
Powered by Froala Editor