ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୭୩୨ କୋଟିରୁ ଅଧିକ ରେଳ ପ୍ରକଳ୍ପକୁ କରିବେ ଲୋକାର୍ପିତ
ଭୁବନେଶ୍ୱର: ଆଜି ରାଜ୍ୟରେ ୭୩୨ କୋଟିରୁ ଅଧିକ ରେଳ ପ୍ରକଳ୍ପକୁ ଲୋକାର୍ପିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ନିଜ ଜନ୍ମଦିନରେ ରାଇରଙ୍ଗପୁରରୁ ଯଖପୁରା-ବୈତରଣୀ ରୋଡ୍ ମଲ୍ଟି-ଟ୍ରାକିଂ ପ୍ରକଳ୍ପକୁ ସର୍ବସାଧାରଣଙ୍କ ବ୍ୟବହାର ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ । ସେହିପରି ହିନ୍ଦୋଳ ରୋଡ୍-ମେରାମଣ୍ଡଳୀ ମଲ୍ଟି-ଟ୍ରାକିଂ ପ୍ରକଳ୍ପକୁ ମଧ୍ୟ ଲୋକାର୍ପିତ କରିବେ ରାଷ୍ଟ୍ରପତି । ଏହି ପ୍ରକଳ୍ପଗୁଡ଼ିକ ହେବା ଦ୍ୱାରା ରାଜ୍ୟରେ ଟ୍ରେନ୍ ପରିଚାଳନା କ୍ଷମତା ବଢ଼ିବ । ଏହା ସହ ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧ ହେବ । ନୂଆ ନୂଆ ଶିଳ୍ପ ଆସିବାକୁ ବାଟ ଖୋଲିବା ସହ ଆଞ୍ଚଳିକ ସଂଯୋଗୀକରଣକୁ ବ୍ୟାପକ କରିବ ।
ଉଲ୍ଲେଖଯୋଗ୍ୟ, ୧୯ କିଲୋମିଟର ଦୈର୍ଘ୍ୟର ରେଳ ପ୍ରକଳ୍ପ ବାବଦରେ ୩୨୩ କୋଟି ଟଙ୍କା ଖର୍ଚ୍ଚ ହୋଇ ସମ୍ପୂର୍ଣ୍ଣ ହୋଇଛି । ଯାହା ବୃହତ୍ ଭଦ୍ରକ-ନିର୍ଗୁଣ୍ଡି ମଲ୍ଟି ଟ୍ରାକିଂ ପ୍ରକଳ୍ପର ଏକ ଅଂଶ ଭାବେ ବିକଶିତ କରାଯାଇଛି । ଏହି ପ୍ରକଳ୍ପଟି ଅତ୍ୟଧିକ ବ୍ୟସ୍ତବହୁଳ ହାଓଡ଼ା ଚେନ୍ନ ।ଇ ମୁଖ୍ୟ ଲାଇନର କ୍ଷମତା ବୃଦ୍ଧି କରିବ । ଭିଡ଼ କମିବା ସହ ସମୟାନୁବର୍ତ୍ତିତାରେ ସୁଧାର ଆସିବ । ଯାତ୍ରୀବାହୀ ଓ ମାଲବାହୀ ଟ୍ରେନଗୁଡ଼ିକର ଦ୍ରୁତ ଚଳାଚଳ କରିବ । ଏହି ପ୍ରକଳ୍ପ କୋଇଲା ଏବଂ ଅନ୍ୟାନ୍ୟ ଭାରୀ ସାମଗ୍ରୀର ନିରବଚ୍ଛିନ୍ନ ପରିବହନରେ ସହାୟକ ହେବ । ଯାହା ନିକଟସ୍ଥ ବନ୍ଦର, ଶିଳ୍ପ ଏବଂ ବାଣିଜ୍ୟିକ କେନ୍ଦ୍ରଗୁଡ଼ିକୁ ସୁଦୃଢ଼ ଲଜିଷ୍ଟିକ୍ ସହାୟତା ପ୍ରଦାନ କରିବ । ଯାହା ଦ୍ୱାରା ଏହି ଅଞ୍ଚଳର ଅର୍ଥନୈତିକ ବିକାଶରେ ସହଯୋଗ ମିଳିବ ।
ଅପରପକ୍ଷେ ୪୦୯ କୋଟି ଟଙ୍କାରେ ୨୭ କିଲୋମିଟର ଦୈର୍ଘ୍ୟରେ ସମ୍ପୂର୍ଣ୍ଣ ହିନ୍ଦୋଳ ରୋଡ୍-ମେରାମଣ୍ଡଳୀ ମଲ୍ଟି-ଟ୍ରାକିଂ ପ୍ରକଳ୍ପ ହୋଇଛି । ଯାହା ଗୁରୁତ୍ୱପୂର୍ଣ୍ଣ ବୁଢ଼ାପଙ୍କ–ଶାଳଗାଁ ମଲ୍ଟି-ଟ୍ରାକିଂ ପ୍ରକଳ୍ପର ଏକ ଅଂଶ । ଏହି ପ୍ରକଳ୍ପ ଟ୍ରେନ୍ ପରିଚାଳନ କ୍ଷମତାକୁ ଉଲ୍ଲେଖନୀୟ ଭାବେ ବୃଦ୍ଧି କରିବ । ପରିଚାଳନାଗତ ପ୍ରତିବନ୍ଧକଗୁଡ଼ିକୁ ଦୂର କରିବ। କୋଇଲା, ଇସ୍ପାତ, ବିଦ୍ୟୁତ କ୍ଷେତ୍ର ପାଇଁ ଆବଶ୍ୟକ ସାମଗ୍ରୀ ଓ ଅନ୍ୟାନ୍ୟ ଶିଳ୍ପ ଜାତ ସାମଗ୍ରୀର ସୁଗମ ପରିବହନକୁ ସହାୟତା କରିବ ।
Powered by Froala Editor