୧୦ ପର୍ଯ୍ୟନ୍ତ ଲାଗି ରହିବ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି
ଭୁବନେଶ୍ୱର: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ଜାରି ରହିଥିବାବେଳେ ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚୁଛି। ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଶନିବାର ସକାଳୁ ଗୁଳୁଗୁଳି ଜନଜୀବନକୁ ପ୍ରଭାବିତ କରିଥିଲା। ରାଜଧାନୀ ଭୁବନେଶ୍ୱରରେ କାଳବୈଶାଖୀ ପରେ ତାପମାତ୍ରା ୧୪ ଡିଗ୍ରୀ କମିଯାଇଥିଲା। ୪୭.୭ରୁ ୨୭ ଡିଗ୍ରୀକୁ ଖସି ଆସିଥିଲା। ତେବେ ଆଗାମୀ ୩ଦିନ ମଧ୍ୟରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢିବ ବୋଲି ପୂର୍ୱାନୁମାନ କରାଯାଇଛି। ଫଳରେ ପ୍ରଚଣ୍ଡ ଗ୍ରୀଷ୍ମ ତାପରେ ଜନଜୀବନ ଆହୁରି ଅସ୍ତବ୍ୟସ୍ତ ହୋଇପଡିବ ବୋଲି ଆଶଙ୍କା କରାଯାଉଛି।
ତେବେ ରବିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ୱଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ କାଳବୈଶାଖୀ ପାଇଁ ୟେଲୋ ଓ୍ୱାର୍ନିଂ ଜାରି କରାଯାଇଛି। ଏଥିସହ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ଝାରସୁଗୁଡା, କଟକ, ସମ୍ୱଲପୁର, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, ବଲାଙ୍ଗୀର, ଗଜପତି, ମାଲକାନଗିରି, ଗଞ୍ଜାମ, ପୁରୀ ଏବଂ ନୟାଗଡ଼ ଜିଲାକୁ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ଓ୍ୱାର୍ନିଂ ଦେଇଛି ପାଣିପାଗ କେନ୍ଦ୍ର।
Powered by Froala Editor