ସାରା ବିଶ୍ୱ ପିପିଲି ହସ୍ତକଳାକୁ ଦେଖିବ
ପିପିଲି : ପିପିଲି ଚାନ୍ଦୁଆ କେବଳ ଏକ ହସ୍ତଶିଳ୍ପ ନୁହେଁ, ଏହା ଓଡ଼ିଆ ଜାତିର ସ୍ୱାଭିମାନ ଓ ‘ଓଡ଼ିଆ ଅସ୍ମିତା’ର ପରିଚୟ। ଏହି କଳା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା ଓ ରଥଯାତ୍ରା ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ପିପିଲି ତହସିଲ ଅନ୍ତର୍ଗତ ଜଗନ୍ନାଥପୁର ମୌଜାରେ ୫ ଏକରରୁ ଅଧିକ ଜମି ଉପରେ ଏକ ଅତ୍ୟାଧୁନିକ ‘ପିପିଲି ଚାନ୍ଦୁଆ ହସ୍ତଶିଳ୍ପ ହବ୍’ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି।
ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ୮୦ କୋଟି ଟଙ୍କା ବ୍ୟୟରେ ଏହି ବହୁ ପ୍ରତୀକ୍ଷିତ ଅତ୍ୟାଧୁନିକ ପିପିଲି ଚାନ୍ଦୁଆ ହସ୍ତଶିଳ୍ପ ହବ୍ ନିର୍ମାଣ ହେବ। ୫ ମହଲା ବିଶିଷ୍ଟ ଏହି ସମନ୍ୱିତ ‘କ୍ରାଫ୍ଟ, କଲ୍ଚର୍ ଆଣ୍ଡ ଟୁରିଜମ୍ ହବ୍’ରେ ୫୦ଟି ବ୍ୟବସାୟିକ ଦୋକାନ, ୬ଟି ସରକାରୀ ଶୋ’ରୁମ୍, ଲାଇଭ୍ ପ୍ରଦର୍ଶନ କେନ୍ଦ୍ର, ଟ୍ରେନିଂ ସେଣ୍ଟର, ଅଡିଓ-ଭିଜୁଆଲ୍ ଗ୍ୟାଲେରୀ, ମୁକ୍ତାକାଶ ରଙ୍ଗମଞ୍ଚ, ଓଡ଼ିଆ ଫୁଡ୍ କୋର୍ଟ ଭଳି ସମସ୍ତ ଅତ୍ୟାଧୁନିକ ସୁବିଧା ରହିବ। ଏଠାରେ ଚାନ୍ଦୁଆ ସମେତ ଓଡ଼ିଶାର ସମସ୍ତ ୬୪ଟି ଅନୁମୋଦିତ ହସ୍ତଶିଳ୍ପ ଏବଂ ୬ଟି ଜି.ଆଇ. ମାନ୍ୟତାପ୍ରାପ୍ତ କଳାର ପ୍ରଦର୍ଶନ ଓ ବିକ୍ରୟ କରାଯିବ। ପିପିଲିର ଜବାହର ବିଦ୍ୟାପୀଠ ଖେଳପଡ଼ିଆ ଠାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, ଏହି ପ୍ରକଳ୍ପ ଦ୍ୱାରା ପିପିଲି ଓ ଆଖପାଖ ଅଞ୍ଚଳର ୬ ହଜାରରୁ ଅଧିକ କାରିଗର ସିଧାସଳଖ ଉପକୃତ ହେବେ। କାରିଗରଙ୍କୁ ସୁଲଭ ମୂଲ୍ୟରେ କଞ୍ଚାମାଲ ଯୋଗାଇବା ପାଇଁ ଏଠାରେ ଏକ କଞ୍ଚାମାଲ ବ୍ୟାଙ୍କ ସ୍ଥାପନ କରାଯିବ। ଆଗାମୀ ଦିନରେ ସାରା ବିଶ୍ୱ ପିପିଲି ହସ୍ତକଳାକୁ ଦେଖିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଭୋକାଲ୍ ଫର୍ ଲୋକାଲ୍’ ମନ୍ତ୍ରରେ ଅନୁପ୍ରାଣିତ ହୋଇ ପିପିଲି ଚାନ୍ଦୁଆକୁ ବିଶ୍ୱ ବଜାର ସହ ଯୋଡ଼ିବା ଆମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ଦିଗରେ ଏହି ହବ୍ ଏକ ମାଇଲଖୁଣ୍ଟ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ୪୦ ବର୍ଷ ତଳେ ପିପିଲିକୁ ଏକ ଚାନ୍ଦୁଆ କିଣିବାକୁ ଆସିଥିବାର ଅନୁଭୂତିକୁ ମୁଖ୍ୟମନ୍ତ୍ରୀ ମନେ ପକାଇଥିଲେ। ହସ୍ତତନ୍ତ୍ର, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଥିଲେ, ପିପିଲି ଚାନ୍ଦୁଆ ହେଉଛି ଓଡ଼ିଶାର ଗର୍ବ ଓ ଗୌରବ। ଏହା ଆମ ପାରମ୍ପରିକ ଐତିହ୍ୟର ସୌରଭ। ପୁରୀ ସାଂସଦ ସମ୍ବିତ ପାତ୍ର ପିପିଲିବାସୀଙ୍କର ବହୁ ଦିନର ଆଶା ପୂରଣ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଶିଷ୍ଟ ଚାନ୍ଦୁଆ ଶିଳ୍ପୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ସମ୍ମାନିତ କରିଥିଲେ। ସତ୍ୟବାଦୀ ବିଧାୟକ ଓମପ୍ରକାଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
Powered by Froala Editor