୧୦୦୦ ବର୍ଷ ପୁରୁଣା ପ୍ରସ୍ତର ଅଭିଲେଖ ଉଦ୍ଧାର
ଭୁବନେଶ୍ବର : ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡ଼ଗଡ଼ ନିକଟସ୍ଥ ବୋରିବନ୍ଧ ଗ୍ରାମରୁ ପ୍ରାୟ ୧୦୦୦ ବର୍ଷ ପୁରୁଣା ପ୍ରସ୍ତର ଅଭିଲେଖ ଉଦ୍ଧାର ହୋଇଛି। ବୋରିବନ୍ଧସ୍ଥିତ ପ୍ରାଚୀନ ସୁବର୍ଣ୍ଣକେଶରୀ ମନ୍ଦିର ପରିସରରେ ଏହି ଅଭିଲେଖକୁ ସ୍ଥାନୀୟ ଐତିହ୍ୟପ୍ରେମୀ ବିମଳ ଗୌଡ଼ ଦେଖିବା ପରେ ରିଡସକଭର ଲଷ୍ଟ ହେରିଟେଜ ଟ୍ରଷ୍ଟ (ଆରଏଲଏଚଟି) ସଦସ୍ୟ ସୌମ୍ୟ ରଞ୍ଜନ ପଣ୍ଡାଙ୍କୁ ଜଣାଇଥିଲେ। ଟ୍ରଷ୍ଟର ସଦସ୍ୟ ବୋରିବନ୍ଧ ଗ୍ରାମରେ ପହଞ୍ଚି ଏହି ଅଭିଲେଖଯୁକ୍ତ ପଥରଟିକୁ ସିମେଣ୍ଟ ଆସ୍ତରଣ ମଧ୍ୟରୁ ବାହାର କରିଥିଲେ। ଅଭିଲେଖର ଇଷ୍ଟାମ୍ପେଜ୍ (ଛାପ) ସଂଗ୍ରହ କରିଥିଲେ। ଗ୍ରାମବାସୀଙ୍କ ସହାୟତାରେ ବର୍ତ୍ତମାନ ଶିଳାଲେଖଯୁକ୍ତ ଏହି ପଥରଟିକୁ ମନ୍ଦିର ଭିତରେ ସୁରକ୍ଷିତ ଭାବେ ରଖାଯାଇଛି। ଆରଏଲଏଚଟି ଦ୍ୱାରା ସଂଗଠିତ ଏହି ଐତିହ୍ୟ ପୁନରୁଦ୍ଧାର କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଦସ୍ୟ ସୁମନ ପ୍ରକାଶ ସ୍ବାଇଁ, ନୃପତି ନିହାର ସିଅଳ ଏବଂ ଦୀପକ କୁମାର ନାୟକ ସହଯୋଗ କରିଥିଲେ।
ସୁବର୍ଣ୍ଣକେଶରୀ ମନ୍ଦିରରୁ ମିଳିଥିବା ଶିଳାଲେଖଟି ଏକ କ୍ଷୁଦ୍ର ଅଭିଲେଖ ହୋଇଥିଲେ ମଧ୍ୟ ଐତିହାସିକ ଦୃଷ୍ଟିକୋଣରୁ ଏହାର ଗୁରୁତ୍ବ ରହିଛି। ଶିଳାଲେଖଟି ପୂର୍ବୀ ନାଗରୀ ଲିପି ଓ ସଂସ୍କୃତ ଭାଷାରେ ଉତ୍କୀର୍ଣ୍ଣ ହୋଇଛି। ଏଥିରେ ଦୁଇ ଧାଡ଼ି ଅଭିଲେଖ ରହିଛି। ଲିପିତତ୍ତ୍ବ ଆଧାରରେ ଏହି ଅଭିଲେଖଟି ଦଶମ ଶତାବ୍ଦୀ ସମୟର ବୋଲି ଅନୁମାନ କରାଯାଉଛି। ଏଥିରେ ଥିବା ଲିପିଗୁଡ଼ିକର ଦଶମ ଶତାବ୍ଦୀରେ ଭଞ୍ଜରାଜା ନେତଭଞ୍ଜ କଲ୍ୟାଣକଳସଙ୍କ ଦ୍ୱାରା ପ୍ରଦତ୍ତ ପେଟ୍ଟସର ତାମ୍ରଶାସନରେ ଲିଖିତ ଲିପି ସହ ଅନେକ ସାମଞ୍ଜସ୍ୟ ରହିଛି।
Powered by Froala Editor