+୨ କଳା ପରୀକ୍ଷାରେ ୮୩ ପ୍ରତିଶତ ନମ୍ବର ରଖିଛନ୍ତି, ଆର୍ଥିକ ସମସ୍ୟା ପାଇଁ ମାଜୁଛନ୍ତି ବାସନ
କେନ୍ଦୁଝର: କେନ୍ଦୁଝର ଜିଲା ଗୋନାସିକା ପାର୍ବତ୍ୟାଞ୍ଚଳର ଜୁଆଙ୍ଗ ବସ୍ତିରେ ଚଳିତ ବର୍ଷ +୨ କଳା ପରୀକ୍ଷାରେ ଶତକଡ଼ା ୮୩ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ ଜୁଆଙ୍ଗ ଛାତ୍ର ହୋଟେଲରେ ବାସନ ମାଜୁଛନ୍ତି। କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ପଣ୍ଡାପଡ଼ା ଥାନା ବାରହାଗଡ଼ ପଞ୍ଚାୟତ ନଡ଼ାମ ଗ୍ରାମରେ ଜୁଆଙ୍ଗ ଉନ୍ନୟନର ଏହି ବିକଳ ଚିତ୍ର ଦେଖିବାକୁ ମିଳିଛି। ଗ୍ରାମର କୀର୍ତ୍ତନ ଜୁଆଙ୍ଗ ଏବଂ ଗୋଲାପ ଜୁଆଙ୍ଗଙ୍କ ତିନି ପୁଅ ମଧ୍ୟରୁ ବୈଲୋଚନ ଜୁଆଙ୍ଗ ହେଉଛନ୍ତି ବଡ଼ ପୁଅ। ସେ ୨୦୨୪ରେ ମାଟ୍ରିକ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବା ପରେ ଉଚ୍ଚ ଶିକ୍ଷା ପାଇଁ ମନ ବଳାଇଥିଲେ ମଧ୍ୟ ପିତା କୀର୍ତ୍ତନ ଜୁଆଙ୍ଗ ଦାରିଦ୍ର୍ୟ ଏବଂ ଆର୍ଥିକ ଅନଟନ କାରଣରୁ ପୁଅକୁ କଲେଜରେ ପାଠ ପଢ଼ାଇବାକୁ ଅକ୍ଷମତା ପ୍ରକାଶ କରିଥିଲେ। ଏହା ଜାଣିବା ପରେ କେନ୍ଦୁଝର ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ପାଟେଶ୍ବର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରମାକାନ୍ତ ସ୍ବାଇଁ ବୈଲୋଚନଙ୍କୁ ଆଣି ନିଜ ବିଦ୍ୟାଳୟରେ +୨ରେ ନାମ ଲେଖାଇ ହଷ୍ଟେଲରେ ରଖି ପାଠ ପଢ଼ାଇଥିଲେ। ମେଧାବୀ ବୈଲୋଚନ ଚଳିତବର୍ଷ +୨ କଳା ପରୀକ୍ଷାରେ ୮୩ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ଏହାପରେ ବୈଲୋଚନ ଉଚ୍ଚ ଶିକ୍ଷା ପାଇଁ ମନ ବଳାଇଥିଲେ ମଧ୍ୟ ପରିବାରର ଆର୍ଥିକ ତାଡ଼ନା କାରଣରୁ ଏକ ହୋଟେଲରେ ରହି ବାସନ ମାଜୁଛନ୍ତି।
Powered by Froala Editor