ବଡ଼ ସ୍ବାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି ଡେଙ୍ଗୁ, ୭ ବର୍ଷରେ ୪୦, ୫୨୯ ଡେଙ୍ଗୁ ରୋଗୀ ଚିହ୍ନଟ
ଭୁବନେଶ୍ବର: ବଡ଼ ସ୍ବାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି ଡେଙ୍ଗୁ। କେବଳ ବର୍ଷା ଦିନ ନୁହେଁ ଅନ୍ୟ ଦିନଗୁଡ଼ିକରେ ମଧ୍ୟ ଡେଙ୍ଗୁ ମାମଲା ସାମ୍ନାକୁ ଆସୁଛି। ଗତ ୭ ବର୍ଷ ମଧ୍ୟରେ ରାଜ୍ୟରେ ପ୍ରାୟ ୪୦, ୫୨୯ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛି। ରାଜ୍ୟରେ ଗତ ଦୁଇବର୍ଷ ହେଲା ଡେଙ୍ଗୁରେ ଅଙ୍କୁଶ ଲାଗିଥିଲେ ବି ଚିକିତ୍ସା ନବସୃଜନ ଏବଂ ମିଳିତ ସହଯୋଗ ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ରଖିଛନ୍ତି। ଏହାଛଡ଼ା ଡେଙ୍ଗୁ ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ ହେଉଥିବାବେଳେ ଡେଙ୍ଗୁ ଟିକାର ପରୀକ୍ଷଣ ଚାଲିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡ଼ିଛି। ଡେଙ୍ଗୁ ମୁକାବିଲା ଓ ଚିକିତ୍ସା ନିମନ୍ତେ ଏବେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲା ସ୍ବାସ୍ଥ୍ୟକେନ୍ଦ୍ରକୁ ମାର୍ଗଦର୍ଶିକା ଜାରି କରାଯାଇ ପର୍ଯ୍ୟାପ୍ତ ପରିମାଣର ପରୀକ୍ଷଣ କିଟ୍ ଦିଆଯାଇଛି। ଆଗକୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ସଚେତନତା କରାଯିବ। ଆସନ୍ତା ୧୬ ତାରିଖ (ଶନିବାର) ବିଶ୍ବ ଡେଙ୍ଗୁ ଦିବସ ଅବସରରେ ଆଭାସି ଜରିଆରେ ବୈଠକ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
୨୦୨୩ରୁ ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି। ଚଳିତବର୍ଷ ଯେପରି ସମସ୍ୟା ଦେଖାନଦେବ, ସେଥିପାଇଁ ଆଗୁଆ ମାର୍ଗଦର୍ଶିକା ଜାରି କରାଯାଇ ସବୁ ଜିଲାର ସିଡିଏମ୍ଓଙ୍କୁ ନିର୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ପରୀକ୍ଷଣ ପାଇଁ ୪୦ଟି କେନ୍ଦ୍ର ସହିତ ଦୁଇଟି ଏଆରଏଲ କେନ୍ଦ୍ର ରହିଛି। ଡେଙ୍ଗୁର ଏପର୍ଯ୍ୟନ୍ତ କୌଣସି ନିଶ୍ଚିତ ଚିକିତ୍ସା ନାହିଁ ବା ଔଷଧ ନାହିଁ। ତେବେ ଦୁଇଟି ପର୍ଯ୍ୟାୟରେ ଚିକିତ୍ସା କରାଯାଇଥାଏ। ପ୍ରଥମେ ଅଧିକ ମାତ୍ରାରେ ପାଣି ପିଇବା ଆବଶ୍ୟକ।
ଏହାସହ ସାଲାଇନ ଓ ଓଆରଏସ୍ ପାଣି ଦିଆଯିବା ଉଚିତ୍। ପରବର୍ତ୍ତୀ ପର୍ଯ୍ୟାୟରେ ଆନାଲଜେଟିକ (ପାରାସିଟାମଲ) ଦିଆଯିବା ସହ ଆବଶ୍ୟକ ପଡ଼ିଲେ ପ୍ଲେଟଲେଟ ଦିଆଯାଇଥାଏ। ଡେଙ୍ଗୁର ଲକ୍ଷଣ ଦେଖାଦେଲେ ତୁରନ୍ତ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ପରାମର୍ଶ ନେବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି।
Powered by Froala Editor