ମେ ୧୧ରୁ ମାଟ୍ରିକ ପରୀକ୍ଷା ଖାତା ଯାଞ୍ଚ ପ୍ରକ୍ରିୟା ଆରମ୍ଭ
କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ନିକଟରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ବିଭିନ୍ନ ବିଷୟରେ ପୁନଃ ଖାତା ଯାଞ୍ଚ (ରିଚେକିଂ) ନିମନ୍ତେ ମେ ୧୧ରୁ ପ୍ରକ୍ରିୟା ଆରମ୍ଭ ହେବ। ଏ ସଂକ୍ରାନ୍ତରେ ବୋର୍ଡ ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରତ୍ୟେକ ବିଷୟରେ ସବ୍ଜେକ୍ଟିଭ ଓ ଅବ୍ଜେକ୍ଟିଭ ଖାତା ରିଚେକିଂ ଓ ସେହି ଖାତାଗୁଡ଼ିକର ଅବିକଳ ନକଲ ପ୍ରଦାନ ପାଇଁ ଆବଶ୍ୟକ ଦେୟ ସହିତ ଅନ୍ଲାଇନ୍ରେ ଆବେଦନ କରିପାରିବେ। ଆବେଦନ କରିବାର ନିୟମାବଳୀ ବୋର୍ଡ ୱେବସାଇଟ୍ www.bseodisha.ac.inରେ ଉପଲବ୍ଧ ହେବ। ଏଥିପାଇଁ ଉଭୟ ଫର୍ମ ଓ ଦେୟ ଦାଖଲ ୨୨ ତାରିଖ ମଧ୍ୟରାତ୍ର ସୁଦ୍ଧା କରିବାକୁ ହେବ।
ଏଥିସହ ଆବେଦନକାରୀମାନେ ବୋର୍ଡ ୱେବସାଇଟ୍ରୁ ପରୀକ୍ଷା ଖାତାର ଅବିକଳ ନକଲ ଡାଉନଲୋଡ୍ କରିପାରିବେ। ସେହିପରି ମଧ୍ୟମା ସଂସ୍କୃତ ପରୀକ୍ଷା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାର୍ଥୀମାନେ ୧୧ ରୁ ୨୫ ତାରିଖ ମଧ୍ୟରେ ଅଫ୍ଲାଇନ୍ରେ ବୋର୍ଡର ମୁଖ୍ୟ ଓ ଶାଖା କାର୍ଯ୍ୟାଳୟରେ ଆବେଦନ କରିପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।
Powered by Froala Editor