ବାପର ରାଗ ପୁଅ ଉପରେ ସୁଝାଇଲା ପଡୋଶୀ: ୧୦ ବର୍ଷର ଶିଶୁକୁ ଗୋଡେଇ ଗୋଡେଇ ହାଣିଦେଲା

ଏମିତି ରାଗ ମୁଣ୍ଡକୁ ଚଢିଗଲା ଯେ, ପଡୋଶୀ ଜଣକ ହିତାହିତ ଜ୍ଞାନ ଭୁଲି ଏକ ୧୦ ବର୍ଷର ଶିଶୁକୁ ଗୋଡେଇ ଗୋଡେଇ ହାଣିଦେଲା । ଶିଶୁକୁ ବଞ୍ଚାଇବାକୁ ତାର ବଡ ଭାଇ ଓ ଅନ୍ୟ ଜଣେ ବୃଦ୍ଧ ଚେଷ୍ଟା କରିଥିଲେ ବି ଶିଶୁଟିର ମୃତ୍ୟୁ ଘଟିଛି । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅଧୀନ ଥୁଆମୂଳ ଭଟାଗୁଡା ଗାଁରେ ଏଭଳି ଅମାନବୀୟ ଘଟଣା ଘଟିଛି ।
ସୂଚନାଯୋଗ୍ୟ, ଭଟାଗୁଡା ଗ୍ରାମର ଘାସିରାମ ମାଝୀ ଓ ଜୟସିଂ ଜାନୀ (୪୨) ପଡ଼ୋଶୀ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ପୂର୍ବରୁ ଶତ୍ର୍ରୁତା ଲାଗି ରହିଥିଲା। ଗତକାଲି ପୁଣି ଥରେ ଉଭୟ ପରିବାର ମଧ୍ୟରେ କଳହ ହୋଇଥିଲା। ଏହା ଉଗ୍ର ରୂପ ଧାରଣ କରିବାରୁ ନିଶାସକ୍ତ ଅବସ୍ଥାରେ ଥିବା ଜୟସିଂ ହାତରେ ଟାଙ୍ଗିଆ ଧରି ଘାସିରାମଙ୍କ ୧୦ ବର୍ଷର ଶିଶୁ ଅନିଲକୁ ଗୋଡେଇ ଗୋଡେଇ ହାଣିଥିଲେ। ଅନିଲଙ୍କୁ ବଞ୍ଚାଇବାକୁ ତାଙ୍କ ବଡ଼ ଭାଇ ଦେବାନନ୍ଦ ଚେଷ୍ଟା କରିବାରୁ ଜୟସିଂ ତାଙ୍କୁ ଧନୁତୀରରେ ଆକ୍ରମଣ କରିଥିଲେ। ଦେବାନନ୍ଦଙ୍କ ଗୋଡ଼ରେ ଆଘାତ ଲାଗିଥିବା ବେଳେ ତାଙ୍କୁ ଥୁଆମୁଳ ରାମପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତାପରେ ଜୟସିଂଙ୍କୁ କାବୁ କରିବାକୁ ଚେଷ୍ଟା କରୁଥିବା ଗ୍ରାମର ବୃଦ୍ଧ ତାମା ଜାନୀଙ୍କୁ ମଧ୍ୟ ସେ ଆକ୍ରମଣ କରିବାକୁ ପଛାଇ ନାହାନ୍ତି। ଏଥି ଯୋଗୁଁ ସେ ମଧ୍ୟ ଆହତ ହୋଇଥିବା ଅଭିଯୋଗ ଆସିଛି। ଅଭିଯୋଗ ପରେ ଥୁଆମୂଳ ରାମପୁର ଥାନା ଅଧିକାରୀ ଗୋବିନ୍ଦ ମାଝୀ ଓ ତାଙ୍କ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛନ୍ତି । ଏ ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଲୋକ ରାଗରେ ଏତେ ନିଷ୍ଠୁର ଆଉ କ୍ରୁର କେମିତି ହୋଇପାରନ୍ତି ବୋଲି ପ୍ରଶ୍ନ ଉଠିଛି ।
Powered by Froala Editor