୧୭ବର୍ଷ ପରେ ପର୍ଯ୍ୟଟନ ଭବନରୁ ଅଲଗା ହେବ ଭାରତୀୟ ପର୍ଯ୍ୟଟନ କାର୍ଯ୍ୟାଳୟ
ଭୁବନେଶ୍ୱର: ଦୀର୍ଘ ୧୭ବର୍ଷ ପରେ ପର୍ଯ୍ୟଟନ ଭବନରୁ ଅଲଗା ହେବ ଭାରତୀୟ ପର୍ଯ୍ୟଟନ କାର୍ଯ୍ୟାଳୟ। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଘର ଖାଲି କରିବାକୁ ନିର୍ଦେଶ ଦିଆଯାଇଛି। ଆସନ୍ତା ଜୁନ୍ ଶେଷ ସୁଦ୍ଧା ତାହା ଖାଲି କରିବାକୁ କୁହାଯାଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ବିଦେଶୀ ପର୍ଯ୍ୟଟକଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ଲକ୍ଷ୍ୟରେ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ୨୦୦୮ ମସିହାରୁ ପର୍ଯ୍ୟଟନ ଭବନରେ ଭାରତୀୟ ପର୍ଯ୍ୟଟନ କାର୍ଯ୍ୟାଳୟ ଖୋଲିଥିଲା। ପର୍ଯ୍ୟଟନ ଭବନର ତଳ ମହଲାର ୧୨୦୦ ସ୍କୋୟାର ଫୁଟକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ଭାରତୀୟ ପର୍ଯ୍ୟଟନ କାର୍ଯ୍ୟାଳୟ ଖୋଲିବା ଲାଗି ଭଡ଼ାରେ ଦେଇଥିଲା। ଭାରତୀୟ ପର୍ଯ୍ୟଟନ ବିଭାଗ ମାସିକ ଭଡ଼ା ବାବଦକୁ ୨୯ହଜାର ୩୦୯ ଟଙ୍କା ପ୍ରଦାନ କରୁଥିଲା। ରାଜ୍ୟ ପର୍ଯ୍ୟଟନ ବିଭାଗ ସଚିବ ଅଚାନକ କାର୍ଯ୍ୟାଳୟ ଖାଲି କରିବାକୁ ଭାରତୀୟ ପର୍ଯ୍ୟଟନ ବିଭାଗର ସହକାରୀ ନିର୍ଦେଶକଙ୍କୁ ନୋଟିସ କରିଥିଲେ।
ନୋଟିସ ପାଇବା ପରେ ବିଭାଗ ତାହାର ମୁଖ୍ୟ ଆଞ୍ଚଳିକ କାର୍ଯ୍ୟାଳୟକୁ ଜଣାଇଥିଲା। ପଶ୍ଚିମବଙ୍ଗର ଭାରତ ପର୍ଯ୍ୟଟନ କାର୍ଯ୍ୟାଳୟର ଆଞ୍ଚଳିକ ନିର୍ଦେଶକ ରାଜ୍ୟ ପର୍ଯ୍ୟଟନ ସଚିବଙ୍କୁ ଘର ନଛାଡ଼ିବାକୁ ଅନୁରୋଧ କରିଥିଲେ। କିନ୍ତୁ ସଚିବ ତାଙ୍କ କାର୍ଯ୍ୟାଳୟ ପାଇଁ ସ୍ଥାନ ଅଭାବ ହେଉଥିବା ଦର୍ଶାଇ ଆସନ୍ତା ଜୁନ୍ ସୁଦ୍ଧା ଘର ଖାଲି କରିବାକୁ କହିଥିବା ଜଣାପଡ଼ିଛି। ଗୋଟିଏ ଛାତ ତଳେ ଦୁଇଟି ବିଭାଗ ରହିଥିବାରୁ ପର୍ଯ୍ୟଟକ, ଗାଇଡ, ଟ୍ରାଭେଲ୍ସ ଏଜେଣ୍ଟ, ଟୁର୍ ଅପରେଟରଙ୍କ ଯୋଗାଯୋଗ ସହଜ ହେଉଥିଲା। ଏବେ ଭାରତ ପର୍ଯ୍ୟଟନ କାର୍ଯ୍ୟାଳୟ ଭିଏସଏସ ନଗରସ୍ଥିତ ଆଇଏଚ୍ଏମ (ଇନଷ୍ଟିଚ୍ୟୁଟ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ)କୁ ସ୍ଥାନାନ୍ତର ହେବା ନେଇ ଭାରତୀୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
Powered by Froala Editor