ରାଜନୈତିକ ପ୍ରସଙ୍ଗ ପାଲଟିଲାଣି ଭକ୍ତଚରଣ ଦାସ ସିଜିମାଳି ଅଞ୍ଚଳକୁ ନଯିବା ଘଟଣା
ଭୁବନେଶ୍ୱର: ଆଦିବାସୀ-ପୁଲିସ ସଂଘର୍ଷ ପରେ ସିଜିମାଳି ଅଞ୍ଚଳକୁ ପିସିସି ସଭାପତି ଭକ୍ତଚରଣ ଦାସ ନଯିବା ଘଟଣା ରାଜନୈତିକ ପ୍ରସଙ୍ଗ ପାଲଟିଲାଣି। ତାଙ୍କ ନିରବତା ନେଇ ଖୋଦ୍ ଦଳୀୟ କର୍ମୀ ପ୍ରଶ୍ନ ଉଠାଇଲେଣି। ଆଦିବାସୀଙ୍କ ସ୍ବାର୍ଥ ପାଇଁ କଂଗ୍ରେସର ଲଢ଼େଇ ମୂଳ ନୀତି ବୋଲି କୁହାଯାଉଥିବାବେଳେ ଏବେ ଲକ୍ଷ୍ୟଚ୍ୟୁତ ହୋଇଛି ବୋଲି କର୍ମୀ ମହଲରୁ ପ୍ରଶ୍ନ ଭକ୍ତଙ୍କ ଅଡୁଆ ବଢାଇଛି।
କିଛିଦିନ ପୂର୍ବେ ସିଜିମାଳି ପାହାଡ଼କୁ ରାସ୍ତା ନିର୍ମାଣକୁ ସ୍ଥାନୀୟ ଆଦିବାସୀ ବିରୋଧ କରିବାରୁ ପୁଲିସ-ଆଦିବାସୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା। ଏହି ପ୍ରସଙ୍ଗକୁ ବିରୋଧୀ ଦଳ ଭାବେ କଂଗ୍ରେସ ଯେଉଁଭଳି ବିରୋଧ କରିବା କଥା କରିପାରିଲା ନାହିଁ। ଆଦିବାସୀଙ୍କ ଅଧିକାର ଜଙ୍ଗଲ, ଜମି ଏବଂ ଜଳ ପାଇଁ କଂଗ୍ରେସ ଲଢ଼େଇ କରୁଥିବା ନାରା ଦେଉଛି। ପେଶା ଆଇନ ଲାଗୁ କରିବାକୁ କହୁଛି, ହେଲେ ଆଦିବାସୀଙ୍କ ସ୍ବାର୍ଥ ପାଇଁ ରାଜ୍ୟ କଂଗ୍ରେସ ମୁଖିଆ ସେଠାକୁ କାହିଁକି ଗଲେ ନାହିଁ ବୋଲି ଚର୍ଚ୍ଚା ଚାଲିଛି। ଏ କଥା କଂଗ୍ରେସ ଛାଡ଼ିଥିବା ପିସିସି ଗଣମାଧ୍ୟମ ସେଲ୍ ଉପାଧ୍ୟକ୍ଷ ଅମିୟ ପାଣ୍ଡବ ଉଠାଇଛନ୍ତି।
କଳାହାଣ୍ଡି ଜିଲା ନିୟମଗିରି ଅଞ୍ଚଳରେ କମ୍ପାନୀର ବକ୍ସସାଇଟ ଖନନକୁ ବିରୋଧ କରି ଆଦିବାସୀଙ୍କ ସ୍ବାର୍ଥୀ ନିମନ୍ତେ ଶ୍ରୀ ଦାସ ନେତୃତ୍ବ ନେଉଥିଲେ। ‘ସବୁଜ କଳାହାଣ୍ଡି’ ନାରା ଦେଇ ଆଦିବାସୀଙ୍କ ଆନ୍ଦୋଳନର ପ୍ରମୁଖ ସାଜିଥିଲେ। ତେବେ ଏଥର ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ରହିଛି। ଯଦିଓ ପିସିସି ସଭାପତି ସିଜିମାଳି ଅଞ୍ଚଳରେ ଆଦିବାସୀଙ୍କ ପ୍ରତି ହୋଇଥିବା ପୁଲିସ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛନ୍ତି, କିନ୍ତୁ ସେ ଘଟଣାସ୍ଥଳ ପରିଦର୍ଶନ କରିନାହାନ୍ତି କି ପୀଡ଼ିତଙ୍କୁ ସାକ୍ଷାତ କରିନାହାନ୍ତି। ଏହି ଘଟଣାରେ ବିଜେପି କଳାହାଣ୍ଡି ସାଂସଦ ମାଳବିକା ଦେବୀ ହସ୍ତକ୍ଷେପ ପାଇଁ କେନ୍ଦ୍ର ଖଣିମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ଚିଠି ଲେଖିଥିବାବେଳେ ବିଜେଡି ସାଂସଦ ଡ. ସସ୍ମିତ ପାତ୍ର ଜାତୀୟ ଅନୁସୂଚିତ ଜନଜାତି ଆୟୋଗର ଅଧ୍ୟକ୍ଷ ଅନ୍ତର ସିଂ ଆର୍ଯ୍ୟଙ୍କୁ ଭେଟି ଆଦିବାସୀଙ୍କ ଦୁଃଖ ବୁଝିବା ପାଇଁ ଘଟଣାସ୍ଥଳ ପରିଦର୍ଶନ କରିବାକୁ ଅନୁରୋଧ କରିଛନ୍ତି। କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ଅଧ୍ୟକ୍ଷତାରେ ପ୍ରଦେଶ କଂଗ୍ରେସ କମିଟି ଦ୍ବାରା ଗଠିତ ଏକ ପ୍ରତିନିଧି ଦଳ ଘଟଣାସ୍ଥଳକୁ ଯାଇ ପୀଡ଼ିତଙ୍କୁ ସାକ୍ଷାତ କରିବା ସହ ରାୟଗଡ଼ା ଜିଲାପାଳଙ୍କୁ ଭେଟି ସ୍ମାରକପତ୍ର ଦେଇଥିଲେ।
ଏନେଇ ପିସିସି ସଭାପତି ଶ୍ରୀ ଦାସ କହିଛନ୍ତି, ସିଜିମାଳି ପ୍ରସଙ୍ଗକୁ ନେଇ ମୋତେ କିଛି ନେତା ଅଯଥାରେ ଦୋଷାରୋପ କରି ବିବାଦକୁ ଟାଣୁଛନ୍ତି। ଆଦିବାସୀଙ୍କ ସହିତ କଂଗ୍ରେସ ଏବଂ ଭକ୍ତ ଚରଣ ଦାସ ଅଛନ୍ତି। ଯେତେବେଳେ ସିଜିମାଳିରେ ଆଦିବାସୀମାନେ ଭକ୍ତ ଦାସଙ୍କୁ ନେତୃତ୍ବ ନେବାକୁ ଡାକିବେ ସେଠାକୁ ଯାଇ ନିୟମଗିରି ଆନ୍ଦୋଳନ ଭଳି ନେତୃତ୍ବ ନେବି ବୋଲି ଶ୍ରୀ ଦାସ କହିଛନ୍ତି।
Powered by Froala Editor