ରାଜ୍ୟ କ୍ୟାବିନେଟ: ଏହି ୮ ପ୍ରସ୍ତାବକୁ ଅନୁମୋଦନ
ଭୁବନେଶ୍ବର : ସାରା ରାଜ୍ୟରେ ପାଇପ୍ ଯୋଗେ ପ୍ରାକୃତିକ ଗ୍ୟାସ (ପିଏନ୍ଜି) ଓ କେମ୍ପ୍ରସଡ୍ ନ୍ୟାଚୁରାଲ ଗ୍ୟାସ (ସିଏନ୍ଜି) ଯୋଗାଣ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ରାଜ୍ୟ କ୍ୟାବିନେଟ ଓଡ଼ିଶା ସିଟି ଗ୍ୟାସ୍ ବିତରଣ ନୀତିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସମ୍ପ୍ରତି ଏଥିପାଇଁ ବିଭିନ୍ନ ସଂସ୍ଥାଠାରୁ ଅନୁମତି ନେବାକୁ ହେଉଥିବା ବେଳେ ସମନ୍ବିତ ନୀତିର ଅଭାବ ରହିଥିଲା। ତେବେ ନୂଆ ନୀତି ଅନୁସାରେ ପିଏନ୍ଜି ଓ ସିଏନ୍ଜି ଭିତ୍ତିଭୂମି ନିର୍ମାଣ ପାଇଁ କାର୍ଯ୍ୟଖସଡ଼ା ପ୍ରସ୍ତୁତ ହେବ। ଅନୁମତି ନେବା ସହଜ ହେବ ଏବଂ ଧାର୍ଯ୍ୟ ସମୟ ଭିତରେ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବ। ସ୍ବଚ୍ଛ ଭାରତ ମିଶନ୍ ଅନ୍ତର୍ଗତ କେମ୍ପ୍ରସଡ୍ ବାୟୋ ଗ୍ୟାସ୍ ପ୍ଲାଣ୍ଟ ପ୍ରତିଷ୍ଠା ସହଜ ହେବ। ଏଥିପାଇଁ ନଗର ଉନ୍ନୟନ ବିଭାଗକୁ ନୋଡାଲ ଏଜେନ୍ସି ନିଯୁକ୍ତ କରାଯାଇଛି। ଏହି ନୀତି ଦ୍ବାରା ରାଜ୍ୟ ସରକାରଙ୍କ ଉପରେ ଆର୍ଥିକ ବୋଝ ପଡ଼ିବ ନାହିଁ ଏବଂ ଘରୋଇ ପୁଞ୍ଜିନିବେଶ ହେବ। ଏଥିସହ ୨୦୨୭ ମାର୍ଚ୍ଚ ପର୍ଯ୍ୟନ୍ତ ଅନୁମୋଦନ ଶୁଳ୍କ ଉପରେ ସରକାର ରିଆତି ପ୍ରଦାନ କରିବେ।
ଲୋକସେବା ଭବନରେ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୮ଟି ବିଭାଗର ୮ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି। ଶିଳ୍ପ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ପୂର୍ତ୍ତ, ବାଣିଜ୍ୟ ଓ ପରିବହନ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗୋଟିଏ ଲେଖାଏଁ ପ୍ରସ୍ତାବ ଆଗତ କରାଯାଇଥିଲା। ଆଜି କ୍ୟାବିନେଟ ନ୍ୟାସନାଲ କମିଶନ ଫର ଆଲାଇଡ୍ ଆଣ୍ଡ ହେଲ୍ଥ କେୟାର ପ୍ରଫେନ୍ସ (ଏନ୍ସିଏଏଚ୍ପି) ଅନୁଯାୟୀ ଓଡ଼ିଶା ରାଜ୍ୟ ଆଲାଇଡ୍ ଆଣ୍ଡ ହେଲ୍ଥ କେୟାର କାଉନସିଲ ନିୟମାବଳୀ-୨୦୨୬ ପ୍ରଣୟନ ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହାଦ୍ବାରା ସ୍ବାସ୍ଥ୍ୟ ଓ ଆନୁସଙ୍ଗିକ ସ୍ବାସ୍ଥ୍ୟ ଶିକ୍ଷାକୁ ପ୍ରୋତ୍ସାହନ ମିଳିବା ସହ ଏହା ଯୁବ ବର୍ଗଙ୍କ ପାଇଁ କର୍ମ ନିୟୋଜନ ସୃଷ୍ଟିରେ ସହାୟକ ହେବ। ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକ୍ରମେ ଓଡ଼ିଶା ଲୋକସେବା ଅଧିକାର ନିୟମାବଳୀ-୨୦୧୨ରେ ସଂଶୋଧନ କରାଯାଇଛି।
ରାଜ୍ୟ କ୍ୟାବିନେଟ ଆପାର୍ଟମେଣ୍ଟ ପଞ୍ଜୀକରଣ ନିୟମରେ ସଂଶୋଧନ କରିଛନ୍ତି। କଟକ ସହରରେ କାଠଯୋଡ଼ି ନଦୀ ଉପରେ ବର୍ତ୍ତମାନ ଥିବା ସେତୁ ସହ ସମାନ୍ତର ଭାବେ ନୂଆ ସେତୁ ନିର୍ମାଣ କରାଯିବ। ଫଳରେ କଟକ-ଭୁବନେଶ୍ବର ଜାତୀୟ ରାଜପଥରେ ଗାଡ଼ି ଭିଡ଼ ହ୍ରାସ ପାଇବ। ଏହି ପ୍ରକଳ୍ପ ପାଇଁ ୧୫୮ କୋଟି ୮୮ ଲକ୍ଷ ଟଙ୍କାର ଟେଣ୍ଡରକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ବଲାଙ୍ଗିର ଜିଲାରେ ଅତ୍ୟାଧୁନିକ ସୂତା ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା ପାଇଁ ଅମ୍ବିକା କଟସ୍ପିନର୍ ସ୍ପିନିଂ ୟୁନିଟ୍ ସ୍ଥାପନ ପାଇଁ ମଞ୍ଜୁରୀ ମିଳିଛି। ପରିବହନ ବିଭାଗର ପ୍ରସ୍ତାବ ଅନୁସାରେ ଓଡ଼ିଶା ଟ୍ରାନ୍ସପୋର୍ଟ ଟ୍ରାଫିକ୍ ଆଣ୍ଡ ଏନଫୋର୍ସମେଣ୍ଟ (ନିଯୁକ୍ତି ଓ ସେବା ସର୍ତ୍ତ) ନିୟମ ୨୦୨୩ରେ ସଂଶୋଧନ କରାଯାଇଛି। ୨୬ଟି ଏଏସଆଇ (ଟ୍ରାଫିକ୍) ପଦକୁ ଉଚ୍ଛେଦ କରି ଗୋଟିଏ ଯୁଗ୍ମ ପରିବହନ ଆୟୁକ୍ତ (ଏନଫୋର୍ସମେଣ୍ଟ), ୩ଟି ଡେପୁଟି କମିଶନର ଟ୍ରାନ୍ସପୋର୍ଟ, ୨ଟି ଡେପୁଟି ସୁପରିଟେଣ୍ଡେଣ୍ଟ, ୫ଟି ଏସଆଇ ପଦବୀ ସୃଷ୍ଟି କରାଯାଇଛି।
Powered by Froala Editor