୧୩ ବର୍ଷର ସଂଘର୍ଷ ପରେ ଆଖି ବୁଜିଲେ ହରିଶ
ଦୀର୍ଘ ୧୩ ବର୍ଷ ଧରି ମୃତ୍ୟୁ ସହ ସଂଗ୍ରାମ କରୁଥିବା ହରିଶ ରାଣା ଶେଷରେ ଆଖି ବୁଜିଛନ୍ତି । ପ୍ରାୟ ୧୩ ବର୍ଷ ତଳେ ଛାତରୁ ପଡ଼ିଯିବା ଫଳରେ ହରିଶଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ସେହିଦିନଠାରୁ ସେ କୋମାକୁ ଚାଲିଯାଇଥିଲେ । ପରିବାର ଲୋକେ ଦେଶର ବଡ଼ ବଡ଼ ଡାକ୍ତରଖାନାରେ ତାଙ୍କର ଚିକିତ୍ସା କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା । ଡାକ୍ତରମାନେ ମଧ୍ୟ ସେ ସୁସ୍ଥ ହେବାର ଆଶା ଛାଡ଼ି ଦେଇଥିଲେ ।
ହରିଶଙ୍କ ଚିକିତ୍ସା ପାଇଁ ମାସିକ ପ୍ରାୟ ୬୦ ରୁ ୭୦ ହଜାର ଟଙ୍କା ଖର୍ଚ୍ଚ ହେଉଥିଲା । ଦୀର୍ଘ ୧୩ ବର୍ଷ ଧରି ଏହି ଖର୍ଚ୍ଚ ବହନ କରିବା ପରେ ପରିବାରର ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ି ଯାଇଥିଲା । ସେ ସୁସ୍ଥ ହେବାର କୌଣସି ସମ୍ଭାବନା ନ ଥିବାରୁ ତାଙ୍କ ପିତାମାତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହାଇଥିଲେ ।
ସୁପ୍ରିମକୋର୍ଟଙ୍କ ମେଡିକାଲ ଗାଇଡଲାଇନ ଅନୁଯାୟୀ ଏମ୍ସର ପାଲିଏଟିଭ କେୟାର ବିଭାଗରେ ତାଙ୍କୁ ରଖାଯାଇଥିଲା । ପାସିଭ ଇଉଥାନେସିଆ ପ୍ରକ୍ରିୟା ଅନୁଯାୟୀ ପ୍ରଥମେ ଧୀରେ ଧୀରେ ତାଙ୍କର ପୋଷଣ ବନ୍ଦ କରାଯାଇଥିଲା । ଶେଷରେ ହରିଶ ଶରୀର ତ୍ୟାଗ କରିଛନ୍ତି । ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଐତିହାସିକ ଅନୁମତି ପରେ ଦିଲ୍ଲୀ ଏମ୍ସଠାରେ "ପାସିଭ ଇଉଥାନେସିଆ' ବା ଇଚ୍ଛାମୃତ୍ୟୁ ପ୍ରକ୍ରିୟା ମାଧ୍ୟମରେ ସେ ଆଖି ବୁଜିଛନ୍ତି । ଭାରତରେ ଏହା ଏକ ବିରଳ ଘଟଣା ଭାବେ ପରିଗଣିତ ହେଉଛି ।
Powered by Froala Editor