ରକ୍ତମୁଖା ତାଲିବାନ : ୪୩ ଜଣଙ୍କୁ ହତ୍ୟା କଲେଣି ଆତଙ୍କୀ
ତାଲିବାନ ଏବେ ରକ୍ତମୁଖା ହୋଇଉଠିଛି । ଆଫଗାନିସ୍ତାନର ୯୦ ପ୍ରତିଶତ ଅଞ୍ଚଳ ନିଜ ଦଖଲକୁ ନେଇଥିବା ଦାବି କରୁଥିବା ତାଲିବାନ ଆତଙ୍କବାଦୀମାନେ ଗଜନୀରେ ୪୩ ଜଣଙ୍କୁ ହତ୍ୟା କରିଛନ୍ତି । ଏଥିମଧ୍ୟରେ ସୁରକ୍ଷା ବାହିନୀ ଏବଂ ସାଧାରଣ ନାଗରିକ ରହିଛନ୍ତି । ଆକ୍ରମଣରେ ଭୟଭୀତ ହୋଇ ସାଧାରଣ ନାଗରିକ ଘର ଛାଡି କାବୁଲକୁ ଯିବାରେ ଲାଗିଛନ୍ତି । ତାଲିବାନର ଧମକକୁ ଦୃଷ୍ଟିରେ ରଖି ଆଫଗାନିସ୍ତାନ ସରକାର ଅନେକ ଅଞ୍ଚଳରେ ନାଇଟ କର୍ଫ୍ୟୁ ଲଗାଯାଇଛି ।
ଗଜନୀରୁ କାବୁଲକୁ ଆସିଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ ତାଙ୍କ ଦୁଇ ପୁଅ ତାଲିବାନ ଗୁଳିର ଶିକାର ହୋଇଛନ୍ତି । ଏହି ଲୋକମାନେ ସରକାରୀ କର୍ମଚାରୀ କିମ୍ବା ସୁରକ୍ଷା କର୍ମୀ ନଥିଲେ । ଗଜନୀ ଭିତ୍ତିକ ନାଗରିକ ସମାଜ କାର୍ଯ୍ୟକର୍ତ୍ତା ମୀନା ନାଡେରୀ କହିଛନ୍ତି, “ତାଲିବାନ ଆତଙ୍କବାଦୀମାନେ ମାଲିସ୍ତାନ ଜିଲ୍ଲାରେ ଅବାଧ ପ୍ରବେଶ କରି ଆକ୍ରମଣ କରିବା ସହ ଲୁଟ୍ କରିଛନ୍ତି । ଘର ବି ଜାଳି ଦେବାକୁ ପଛାଇନାହାଁନ୍ତି । ସେପଟେ ତାଲିବାନ ପକ୍ଷରୁ କୁହାଯାଇଛି ଏହି ଯୁକ୍ତି ଭିତ୍ତିହୀନ ।
ସମର୍ଥନ ପାଇଁ ଆଗେଇ ଆସିଲା ପାକିସ୍ତାନ-
ଏଭଳି ସ୍ଥିତିରେ ପାକିସ୍ତାନ ତା’ର ରଣନୀତି ବଦଳାଇ ତାଲିବାନକୁ ସିଧାସଳଖ ସମର୍ଥନ ଦେବାକୁ ଓହ୍ଲାଇ ଆସିଛି। ପାକିସ୍ତାନ ସେନା ସୀମା ଅତିକ୍ରମ କରି ଆଫଗାନିସ୍ତାନରେ ପଦାର୍ପଣ କରିବା ସହ ତାଲିବାନ ସହିତ ହାତ ମିଳାଇଛି। ଆଗକୁ ତାଲିବାନ ସହ ଲଢ଼େଇରେ ପାକିସ୍ତାନ ସେନା ସାମିଲ ହେଲେ ଅତି ଜଟିଳ ସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି। ପାକିସ୍ତାନର ଏହି ରଣନୀତି ଭାରତ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିବ ବୋଲି କୁହାଯାଉଛି।
ଚୀନ୍ ଏବଂ ତୁର୍କୀ ମଧ୍ୟ ତାଲିବାନକୁ ପରୋକ୍ଷ ସମର୍ଥନ ଦେଉଥିବାରୁ ଆମରିକାର ଚିନ୍ତା ବଢ଼ିଛି। ଆଫ୍ଗାନିସ୍ତାନ ସଂପୂର୍ଣ୍ଣ ଭାବେ ତାଲିବାନ ଦଖଲକୁ ଚାଲିଗଲେ ପାକିସ୍ତାନ ଓ ଚୀନ୍ ତାଲିବାନକୁ ନିଜ ନିୟନ୍ତ୍ରଣରେ ରଖି ଆଫଗା୍ନିସ୍ତାନର ପ୍ରଚୁର ଖଣିଜ ସଂପଦ ଅକ୍ତିଆର କରିବା ଆରମ୍ଭ କରିଦେବେ ବୋଲି ଏସିଆର ଅନେକ ବରିଷ୍ଠ କୂଟନୀତିଜ୍ଞ ମତ ରଖିଛନ୍ତି। ତାଲିବାନ ଓ ଆଫଗାନ୍ ସେନା ମଧ୍ୟରେ ଚାଲିଥିବା ସଂଘର୍ଷ ପାଇଁ ହଜାର ହଜାର ନାଗରିକ ସୁରକ୍ଷା ଦୃଷ୍ଟିରୁ କନ୍ଧାର ଛାଡ଼ିଥିବା ଜଣାପଡ଼ିଛି।
Powered by Froala Editor