ବିଜେଡି ଏ ସରକାରର କୁମ୍ଭ କର୍ଣ୍ଣ ନିଦ ହଜେଇଦେବ: ବିଜେଡି
ଭୁବନେଶ୍ବର: ଚାଷୀଙ୍କ ପାଇଁ ଆଜି ରାଜରାସ୍ତାକୁ ଓହ୍ଲାଇଛି ବିଜେଡି । ଭୁବନେଶ୍ୱରର ଲୋୟର ପିଏମଜିରେ ବଡ ଚାଷୀ ସମାବେଶ କରି ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ନବୀନ କହିଛନ୍ତି ଏ ସରକାର ସ୍ଲୋଗାନ ଦେଉଛି ଜୟ କିଷାନ କିନ୍ତୁ କାମରେ ଭାଗୋ କିଷାନ । ସରକାର କାହାଣୀରେ ଚାଲେନି, କାମ ଦରକାର । ଲୋକ ସେବା ଚାହାଁନ୍ତି ନେତାଙ୍କ ପ୍ରବଚନ ନୁହେଁ । ଚାଷୀଙ୍କ ସମସ୍ୟା ସମାଧାନ ନକଲେ ବିଜେଡି ଏ ସରକାରର କୁମ୍ଭ କର୍ଣ୍ଣ ନିଦ ହଜେଇଦେବ ।
ଖୁବଶୀଘ୍ର ଏ ସରକାର ଦୁଇ ବର୍ଷ ପୂରଣ କରିବ । ଏ ସରକାର ନା ଠିକ୍ ନିଷ୍ପତ୍ତି ନେଇ ପାରୁଛନ୍ତି ନା କାର୍ଯ୍ୟକାରୀ କରି ପାରୁଛନ୍ତି । ନିର୍ବାଚନ ବେଳେ ବହୁତ ବଡ ବଡ କଥା କହୁଥିଲେ । ଲମ୍ବା ଲମ୍ବା ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ କିଛି ମିଳିଲାନି । ବିଜେଡି ସରକାର ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ବଜେଟ କରିଥିଲା । କାଳିଆ ଯୋଜନା, ଋଣ ସୁବିଧା, ଜଳସେଚନ ସୁବିଧା କରିଥିଲା । କିନ୍ତୁ ଏ ଡବଲ ଇଞ୍ଜିନ ସରକାର କଣ କରିଛି ବୋଲି ପ୍ରଶ୍ନ କରିଛନ୍ତି ନବୀନ ପଟ୍ଟନାୟକ ।
ନବୀନ ଆହୁରି ମଧ୍ୟ କହିଛନ୍ତି ଯେ ଚାଷୀଙ୍କ ସମସ୍ୟା ନେଇ ସରକାରଙ୍କୁ ଚିଠି ଲେଖିଥିଲି । ନିର୍ବାଚନ ପ୍ରତିଶ୍ରୁତି ଆନ୍ତରିକତାର ସହ ପାଳନ କରିବାକୁ ଅନୁରୋଧ କରିଥିଲି, ଏଥିପାଇଁ ପ୍ରସ୍ତାବ ମଧ୍ୟ ଦେଇଥିଲି । କଟନୀ ଛଟନୀ ବନ୍ଦ ପାଇଁ ସ୍ପେଶାଲ୍ ସ୍କ୍ୱାର୍ଡ କରିବାକୁ ଦାବି କରିଛନ୍ତି ନବୀନ । ଏହାସହିତ ଇନପୁଟ ସବସିଡିରୁ ୧୫୦ କ୍ୱଣ୍ଟାଲ ଧାନ ଉଠାଅ । ୪୮ଘଣ୍ଟାରେ ଡିବିଟିରେ ଚାଷୀକୁ ପଇସା ଦିଅ । ଖୋଲାରେ ପଡିଥିବା ଧାନକୁ ୭୨ଘଣ୍ଟାରେ କିଣିବାକୁ ନବୀନ ଦାବି କରିଛନ୍ତି ।
Powered by Froala Editor