ଆମେରିକାର ଏଫ୍-୩୫କୁ କ୍ଷେପଣାସ୍ତ୍ର ମାଡ କରିବାରେ ସଫଳ ହେଲା ଇରାନ
ତେହରାନ: ଆମେରିକାର ସବୁଠାରୁ ଶକ୍ତିଶାଳୀ ଯୁଦ୍ଧବିମାନ ଏଫ୍-୩୫କୁ ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି) କ୍ଷେପଣାସ୍ତ୍ର ମାଡ କରିବାରେ ସଫଳ ହୋଇଛି। ଷ୍ଟେଲ୍ଥ ଅର୍ଥାତ୍ ଅଦୃଶ୍ୟ ଯୁଦ୍ଧବିମାନ ଭାବେ ପରିଚିତ ଆମେରିକାର ଏହି ଏଫ୍-୩୫ ପ୍ରଥମ ଥର ପାଇଁ ସାମରିକ ଅଭିଯାନରେ ଯାଇଥିବାବେଳେ ଶତ୍ରୁପକ୍ଷର କ୍ଷେପଣାସ୍ତ୍ର ମାଡରେ କ୍ଷତିଗ୍ରସ୍ତ ହୋଇଛି। ଗୁରୁବାର ରାତି ପ୍ରାୟ ୨ଟା ୩୫ରେ ଆମେରିକାର ଏହି ଯୁଦ୍ଧବିମାନ ଇରାନ ମଧ୍ୟକୁ ସାମରିକ ଅଭିଯାନ ପାଇଁ ଯାଇଥିବାବେଳେ ଇରାନର ଏୟାର ଡିଫେନ୍ସ ସିଷ୍ଟମ୍ ଏହା ଉପରକୁ କ୍ଷେପଣାସ୍ତ୍ର ମାଡ କରିବାରେ ସଫଳ ହୋଇଥିଲା।
ଆମେରିକାର ଏଫ୍-୩୫ ଯୁଦ୍ଧବିମାନକୁ ଇରାନ କ୍ଷେପଣାସ୍ତ୍ର ମାଡ କରିବାର ଭିଡିଓକୁ ଆଇଆରଜିସି ସୋସିଆଲ ମିଡିଆରେ ପୋଷ୍ଟ କରିଛି। ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ଇରାନର ସମସ୍ତ ଏୟାର ଡିଫେନ୍ସ ସିଷ୍ଟମ୍ ନଷ୍ଟ ହୋଇସାରିଛି। ତେଣୁ ଇରାନର ବାୟୁସୀମା ଏବେ ସମ୍ପୂର୍ଣ୍ଣ ମୁକ୍ତ। ଟ୍ରମ୍ପଙ୍କ ଏପରି ଦାବିର କିଛି ଘଣ୍ଟା ପରେ ଆମେରିକାର ଏଫ୍-୩୫କୁ ଇରାନ କ୍ଷେପଣାସ୍ତ୍ର ମାଡ କରିବାରେ ସଫଳ ହୋଇଛି।
ଅନ୍ୟପଟେ ଆମେରିକା ସେଣ୍ଟ୍ରାଲ କମାଣ୍ଡ କହିଛି ଯେ ଏଫ୍-୩୫ ଯୁଦ୍ଧ ବିମାନଟି ମଧ୍ୟପ୍ରାଚ୍ୟସ୍ଥିତ ଏହାର କୌଣସି ଏୟାରବେସ୍ରେ ଜରୁରୀକାଳୀନ ଅବତରଣ କରିଛି ଏବଂ ଏହାର ପାଇଲଟ୍ ସୁସ୍ଥ ଅଛନ୍ତି। ଏହା କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହୋଇଛି କିମ୍ବା ଶତ୍ରୁପକ୍ଷର ଆକ୍ରମଣରେ ହୋଇଛି ତାର ତଦନ୍ତ ଜାରି ରହିଛି।
Powered by Froala Editor