ବାଣ ବିସ୍ଫୋରଣରେ ମା- ୩ବର୍ଷର ଝିଅ ମୃତ
ଜଗତପୁର ଥାନା ପାଗା ଫାଣ୍ଡି ଅନ୍ତର୍ଗତ ମହାଜନପୁର ନାୟକ ସାହିରେ ଅଘଟଣ। ଘରେ ବାଣ ଭିଡ଼ିଲା ବେଳେ ବିସ୍ଫୋରଣ ହୋଇଛି। ଘଟଣା ସ୍ଥଳରେ ଦମକଳ ବାହିନୀ ଓ ଜଗତପୁର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବିସ୍ଫୋରଣରେ ମହାଜନପୁର ଗାଁରେ ମା’ ଓ ଝିଅଙ୍କର ମୃତ୍ୟୁ ଘଟିଥିବାବେଳେ ଶାଶୁ ଗୁରୁତର ଅଛନ୍ତି ।
ସୂଚନା ଅନୁସାରେ, ସନ୍ଧ୍ୟା ସମୟରେ ଘରେ ପରିବାର ଲୋକେ ବାଣ ଭିଡୁଥିଲେ । ଏହି ସମୟରେ ହଠାତ୍ ବାଣ ବିସ୍ଫୋରଣ ହୋଇଥିଲା । ଏଥିରେ ଦୁଇ ଜଣ ମହିଳା ଓ ଜଣେ ୩ବର୍ଷର ଶିଶୁ ଗୁରୁତର ହୋଇଥିଲେ । ପରେ ସେମାନଙ୍କୁ ଏସସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଚିକିତ୍ସାଧିନ ଅବସ୍ଥାରେ ମା’ ଓ ଝିଅଙ୍କର ମୃତ୍ୟୁ ହୋଇଥିବାବେଳେ ଶାଶୁ ଚିକିତ୍ସିତ ହେଉଛନ୍ତି । ଅନ୍ୟପଟେ ଏହି ବିସ୍ଫୋରଣରେ ଘର କାନ୍ଥ ଉଡ଼ି ଯାଇଛି । ଏଥିସହ ୨ବଖରା ଘର ଜଳି ଯାଇଛି ।
ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଘରର ଛାତ ସମ୍ପୂର୍ଣ୍ଣ ଉଡ଼ି ଯାଇଥିଲା ଏବଂ ଛାତର କିଛି ଅଂଶ ପାଖରେ ଥିବା ଅନ୍ୟ ଏକ ଘର ଛାତ ଉପରେ ପଡ଼ିଥିଲା। ବିଗତ ଦିନରେ ଏହି ଗ୍ରାମରେ ଅଧିକାଂଶ ଘରେ ବେଆଇନ ବାଣ ବ୍ୟବସାୟ କରିଥିବା ଘଟଣା ସାମ୍ନାକୁ ଆସିଛି। ଅନେକଥର ମଧ୍ୟ ପୁଲିସ୍ ଚଢ଼ଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିବା ସହ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି।
Powered by Froala Editor