ପରୀକ୍ଷା କେନ୍ଦ୍ରରେ ପହଞ୍ଚିଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ରାଜ୍ୟରେ ୫ ଲକ୍ଷ ୬୧ ହଜାର ୯୭୯ ଛାତ୍ର ଛାତ୍ରୀ ପରୀକ୍ଷା ଦେଉଛନ୍ତି । ପରୀକ୍ଷାରେ ସ୍ୱଚ୍ଛତା, ଶୃଙ୍ଖଳାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଆଜି ପରୀକ୍ଷାର ପ୍ରଥମ ଦିନରେ କିପରି ଭାବରେ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି ତାହାର ଅନୁଧ୍ୟାନ ପାଇଁ ଭୁବନେଶ୍ୱର ୟୁନିଟ୍-୧ ସରକାରୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ । ସମସ୍ତ ପ୍ରକାରର ବ୍ୟବସ୍ଥା ପରିଚାଳନାକୁ ଗୁରୁତ୍ବ ଦେଇଥିଲେ । ମନ୍ତ୍ରୀ ସମସ୍ତ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
ଅନ୍ୟପକ୍ଷରେ ପରୀକ୍ଷାରେ ସ୍ବଚ୍ଛତା ରଖିବାକୁ ସବୁ କେନ୍ଦ୍ରକୁ ସିଧାସଳଖ କମାଣ୍ଡ ଆଣ୍ଡ କେଣ୍ଟ୍ରାଲ ସହ ସଂଯୋଗ କରାଯାଇଛି। ଯାହାକି ପରୀକ୍ଷା ସମୟର ଦୃଶ୍ୟକୁ ଏହି କେନ୍ଦ୍ରରୁ ସିଧାସଳଖ ତଦାରଖ କରାଯାଇ ପାରିବ। ଯଦି କେହି କାର୍ଯ୍ୟରେ ଅବହେଳା କରନ୍ତି କିମ୍ବା ଦାୟିତ୍ବରେ ଥିବା ଶିକ୍ଷକ ଛାତ୍ରଛାତ୍ରୀଙ୍କୁ କପି ଯୋଗାନ୍ତି; ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ।
ସୂଚନାଯୋଗ୍ୟ, ଚଳିତବର୍ଷ ବାର୍ଷିକ ହାଇସ୍କୁଲ ପ୍ରମାଣପତ୍ର, ମଧ୍ୟମା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରମାଣପତ୍ର ପରୀକ୍ଷା ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପ୍ରତିଦିନ କେବଳ ଗୋଟିଏ ସିଟିଂରେ ପରୀକ୍ଷା କରାଯିବ। ପ୍ରଥମ ଦିନ ମାତୃଭାଷା ପରେ ୨୧ରେ ଇଂରାଜୀ, ୨୩ରେ ତୃତୀୟ ଭାଷା (ହିନ୍ଦୀ ଓ ସଂସ୍କୃତ), ୨୫ରେ ବିଜ୍ଞାନ, ୨୭ରେ ସାମାଜିକ ବିଜ୍ଞାନ, ମାର୍ଚ୍ଚ ୨ରେ ଗଣିତ ପରୀକ୍ଷା ହେବ। ତେଣୁ ପରୀକ୍ଷା କିଭଳି ସୁଚାରୁ ରୂପେ କରାଯିବ ସେଥିନେଇ ବୋର୍ଡ ସମସ୍ତ ପ୍ରସ୍ତୁତି ଶେଷ କରିଛି।
Powered by Froala Editor