ଯୁବପିଢ଼ିଙ୍କୁ ଶିଳ୍ପ-ଉପଯୋଗୀ କରିବା ସରକାରଙ୍କ ମୁଖ୍ୟ ପ୍ରାଥମିକତା: ମନ୍ତ୍ରୀ
ଭୁବନେଶ୍ବର: ବିଶ୍ୱ ଦକ୍ଷତା କେନ୍ଦ୍ରରେ ଶିଳ୍ପ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ୪ଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଶିଳ୍ପମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି, ଓଡ଼ିଶାର ଯୁବପିଢ଼ିଙ୍କୁ ଶିଳ୍ପ-ଉପଯୋଗୀ କରିବା ସରକାରଙ୍କ ମୁଖ୍ୟ ପ୍ରାଥମିକତା। ଭିତ୍ତିଭୂମି ଶିଳ୍ପ ଗଢ଼େ, ହେଲେ ଦକ୍ଷତା ହିଁ ମାନବ ସମ୍ବଳକୁ ସମୃଦ୍ଧ କରେ ଯାହା ସେହି ଶିଳ୍ପକୁ ବଢ଼ାଇବା ପାଇଁ ଆବଶ୍ୟକ। ରାଜ୍ୟର ଦୀର୍ଘକାଳୀନ ବିକାଶ ଲକ୍ଷ୍ୟ ହାସଲ କରିବାକୁ ହେଲେ ଯୁବପିଢ଼ିଙ୍କୁ ଭବିଷ୍ୟତ ଉପଯୋଗୀ ଦକ୍ଷତାରେ ସଶକ୍ତ କରିବା ଜରୁରୀ ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଥିଲେ।
ଟାଟା ଟେକ୍ନୋଲୋଜି ସହଭାଗିତାରେ ଓଡ଼ିଶାର ୨୨ଟି ସରକାରୀ ଆଇଟିଆଇକୁ ୭୭୯ କୋଟି ଟଙ୍କା ବ୍ୟୟରେ ‘ସେଣ୍ଟର ଅଫ୍ ଏକ୍ସିଲେନ୍ସ’ ଭାବେ ଉନ୍ନୀତ କରାଯିବ। ଚୁକ୍ତିନାମା ଅନୁଯାୟୀ, ଓଡ଼ିଶା ସରକାର ପ୍ରକଳ୍ପ ଖର୍ଚ୍ଚର ୧୪% ବହନ କରିବେ ଏବଂ ଟାଟା ଟେକ୍ନୋଲୋଜି ପ୍ରାୟ ୮୬% ଖର୍ଚ୍ଚ କରିବ। ଏହି ଆଇଟିଆଇଗୁଡ଼ିକରେ ଅତ୍ୟାଧୁନିକ ପରୀକ୍ଷାଗାର ଏବଂ ଶିଳ୍ପ ଉପଯୋଗୀ ଆଧୁନିକ ଯନ୍ତ୍ରପାତି ସ୍ଥାପନ କରାଯିବ।
ଟାଟା ଟେକ୍ନୋଲୋଜି ୫ ବର୍ଷ ପର୍ଯ୍ୟନ୍ତ ପ୍ରଶିକ୍ଷକ ନିୟୋଜନ, ଯନ୍ତ୍ରପାତି ରକ୍ଷଣାବେକ୍ଷଣ ଏବଂ ନିଯୁକ୍ତି କ୍ଷେତ୍ରରେ ସହାୟତା ପ୍ରଦାନ କରିବ। ସେହିପରି ଅନ୍ୟ ତିନିଟି ବୁଝାମଣାପତ୍ର ମଧ୍ୟ ବିନିମୟ ହୋଇଥିଲା। ୟୁନିସେଫ ସହଭାଗିତାରେ ‘ୟୁଥ୍ ହବ୍’ ପ୍ଲାଟଫର୍ମ ମାଧ୍ୟମରେ ୨ହଜାରରୁ ଅଧିକ ଛାତ୍ରୀଙ୍କୁ ଡିଜିଟାଲ୍ ଦକ୍ଷତା ପ୍ରଶିକ୍ଷଣ ଏବଂ ନିଯୁକ୍ତିରେ ସହାୟତା କରାଯିବ।
ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ସଚିବ ଭୂପେନ୍ଦ୍ର ସିଂ ପୁନିଆ, ବୈଷୟିକ ଶିକ୍ଷା ନିର୍ଦେଶକ ଚକ୍ରବର୍ତ୍ତୀ ସିଂ ରାଠୋର, ୱାର୍ଲ୍ଡ ସ୍କିଲ୍ ସେଣ୍ଟରର ସିଇଓ ରଶ୍ମି ମହାପାତ୍ର, କାୱାସାକି ରୋବୋଟିକ୍ସ ଇଣ୍ଡିଆ ପ୍ରା.ଲିର ପରିଚାଳନା ନିର୍ଦେଶକ ହିରୋଶି ମିୟାକେ, ୟୁନିସେଫ୍ ଓଡ଼ିଶା କ୍ଷେତ୍ର କାର୍ଯ୍ୟାଳୟ ମୁଖ୍ୟ ପ୍ରଶାନ୍ତ ଦାଶ, ଆତ୍ରେୟ ଗ୍ଲୋବାଲ୍ ପ୍ରା.ଲି. ମୁଖ୍ୟ ପରିଚାଳନା ଅଧିକାରୀ ପ୍ରଦୀପ୍ତ କୁମାର ଦାସ ଏବଂ ଟାଟା ଟେକ୍ନୋଲୋଜି ଗ୍ଲୋବାଲ୍ ଡେଲିଭରି ମୁଖ୍ୟ ଜିତେନ୍ଦ୍ର କୁମାର ପ୍ରମୁଖ ଉପସ୍ଥିତ ଥିଲେ।
Powered by Froala Editor