୭୦୦ କୋଟିର ଟ୍ୟାକ୍ସ ଫାଙ୍କିଛି ‘ଦୈନିକ ଭାସ୍କର’, ୨୬ଟି ଲକର ଜବତ

୭୦୦ କୋଟିର ଟ୍ୟାକ୍ସ ଫାଙ୍କିଛି ଦୈନିକ ଖବରକାଗଜ ‘ଦୈନିକ ଭାସ୍କର’ । ମୁମ୍ବାଇ, ଦିଲ୍ଲୀ, ଭୋପାଳ, ଅହମ୍ମଦାବାଦ, ଇନ୍ଦୋର, ନୋଏଡାରେ ଥିବା ୨୦ରୁ ଅଧିକ ଘରୋଇ ଓ ବ୍ୟବସାୟିକ ସଂସ୍ଥା ଉପରେ ଚଢ଼ାଉ କରି ଜବତ ହୋଇଥିବା କାଗଜପତ୍ରରୁ ଏହାର ପ୍ରମାଣ ମିଳିଛି ବୋଲି ଇନକମ୍ ଟ୍ୟାକ୍ସ ବିଭାଗ ପକ୍ଷରୁ କୁହାଯାଇଛି । ଚଢ଼ାଉ ବେଳେ ବିଭିନ୍ନ ସ୍ଥାନରୁ ୨୬ଟି ଲକର ମଧ୍ୟ ଜବତ କରିଛି ଆଇଟି ବିଭାଗ । ଏନେଇ ଦୈନିକ ଭାସ୍କରର କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିନାହିଁ ।
କେବଳ ଗଣମାଧ୍ୟମରେ ନୁହେଁ ବରଂ ସେୟାର ହୋଲଡିଂ, ଟେକ୍ସଟାଇଲ ଓ ରିଅଲ ଇଷ୍ଟେଟ୍ ଆଦି କ୍ଷେତ୍ରରେ ୧୦ରୁ ଅଧିକ ବ୍ୟବସାୟ କେନ୍ଦ୍ର ଚଳାଉଛି ‘ଦୈନିକ ଭାସ୍କର’ ଗ୍ରୁପ୍ । ଏସବୁ ବ୍ୟବସାୟ ଗ୍ରୁପର ମାଲିକଙ୍କ ନାଁରେ ନୁହେଁ ବରଂ ଗ୍ରୁପରେ କାର୍ଯ୍ୟରତ କର୍ମଚାରୀଙ୍କ ନାଁରେ ଚାଲିଛି । ଏନେଇ ଆଇଟି ବିଭାଗ ସମ୍ପୃକ୍ତ କର୍ମଚାରୀଙ୍କୁ ପଚରାଉଚରା କରିଥିଲେ ବି ସେମାନେ ଏ ବାବଦରେ କିଛି ଜାଣିନଥିବା କହିଥିଲେ । ସେମାନଙ୍କ ଠାରୁ କେବଳ ସେମାନଙ୍କ ଆଧାରକାର୍ଡ କପି ଓ ଡିଜିଟାଲ ହସ୍ତାକ୍ଷର ନିଆଯାଇଥିଲା । ଯେହେତୁ ସେମାନେ ଦୀର୍ଘଦିନ ହେବ ଗ୍ରୁପରେ କାମ କରିଆସୁଛନ୍ତି ତେଣୁ ବିନା ଦ୍ୱିଧାରେ ଆବଶ୍ୟକ ପ୍ରମାଣପତ୍ର ଦେଇଦେଇଥିଲେ । ଆଉ କିଛି ସେୟାର, ଗ୍ରୁପ ଅଧିକାରୀଙ୍କ ସମ୍ପର୍କୀୟଙ୍କ ନାଁରେ ଥିବା ମଧ୍ୟ ଜଣାପଡିଛି ।
Powered by Froala Editor