ନିର୍ବନ୍ଧ ପରେ ସୁନାଗହଣା ଧରି ଚମ୍ପଟ ମାରିଲେ ଯୁବତୀ, ହେଲା ଏମିତି କିଛି.....
କଟକ: ନିର୍ବନ୍ଧ ପରେ ଯୁବତୀ ସୁନାଗହଣା ଧରି ଚମ୍ପଟ ମାରିବା ଏବଂ ସୋମବାର ରାତିରେ ପୁଲିସ ତାକୁ ଅନ୍ୟଜଣେ ଯୁବକ ସହିତ ଉଦ୍ଧାର କରି ଆଣିବା ଘଟଣାକୁ ନେଇ ଥାନା ପରିସରରେ ଦୁଇ ପରିବାର ଓ ସେମାନଙ୍କ ସମର୍ଥକଙ୍କ ମଧ୍ୟରେ ମାରପିଟ୍ ଘଟିଛି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ପରିସ୍ଥିତି ଅଧିକ ବିଗିଡ଼ିବା ଆଶଙ୍କା କରି ତୁରନ୍ତ ଏକ ପ୍ଲାଟୁନ୍ ଫୋର୍ସ ମଗାଯାଇଥିଲା। ଖବର ପାଇ ବରିଷ୍ଠ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।
ମିଳିଥିବା ସୂଚନା ଅନୁଯାୟୀ ଯୁବତୀଙ୍କ ଘର ଢେଙ୍କାନାଳ ଅଞ୍ଚଳରେ ହୋଇଥିଲେ ହେଁ ସେ ତାଙ୍କ ପରିବାର ସହିତ ପୁରୀଘାଟ ଥାନା ଅନ୍ତର୍ଗତ ଉପର ତେଲେଙ୍ଗା ବଜାରରେ ରହୁଛନ୍ତି। ଢେଙ୍କାନାଳର ଜଣେ ଯୁବକ ଯୁବତୀଙ୍କ ଘରକୁ ଯିବାଆସିବା କରୁଥିଲା। ସମ୍ପୃକ୍ତ ଯୁବକ ସହିତ ଝିଅର ବାହାଘର କରିବା ଲାଗି ଉଭୟ ପରିବାର ଆଲୋଚନା କରିବା ସହିତ ରାଜି ହୋଇଥିଲେ। ଏହାପରେ କଥା ଆଗକୁ ବଢ଼ିଥିଲା। କିଛିଦିନ ପୂର୍ବେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା। ଆସନ୍ତା ୨୨ରେ ବିବାହ ପାଇଁ ସ୍ଥିର ହୋଇଥିଲା। ଯୁବତୀଜଣକ ତାଙ୍କ ପରିବାର ସହିତ ଢେଙ୍କନାଳସ୍ଥିତ ଗ୍ରାମକୁ ଚାଲିଯାଇଥିଲେ। ଇତିମଧ୍ୟରେ ବିବାହ ହେବାକୁ ଯାଉଥିବା ଯୁବକ ଜଣକ ଜାଣିବାକୁ ପାଇଥିଲେ ଯେ ତାଙ୍କ ସହିତ ନିର୍ବନ୍ଧ ହୋଇଥିବା ଯୁବତୀ ଜଣକ ମଙ୍ଗଳାବାଗ ଥାନା ଅଞ୍ଚଳର ଅନ୍ୟ ଜଣେ ଯୁବକଙ୍କୁ ଭଲ ପାଉଛନ୍ତି। ଓ ତାଙ୍କ ସହିତ ରହିବାକୁ ଚାହୁଁଛନ୍ତି। ଏହି ସୂଚନା ପାଇବା ପରେ ଢେଙ୍କାନାଳର ଯୁବକଜଣକ କଟକରେ ଆସି ପହଞ୍ଚି ଯାଇଥିଲେ। ଯୁବତୀଜଣକ ମଙ୍ଗଳାବାଗର ଯୁବକଙ୍କ ପାଖକୁ ପଳାଇଯାଇଥିବା ଜାଣିବା ପରେ କଟକର କିଛି ସଂଗଠନର କର୍ମକର୍ତ୍ତାଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ଉକ୍ତ ସଂଗଠନର କର୍ମକର୍ତ୍ତାମାନେ ଯୁବତୀଙ୍କ ଘର ପାଖକୁ ଆସି ହୋହଲ୍ଲା କରିଥିଲେ। ଏହାପରେ ଯୁବକ/ଯୁବତୀ ମଙ୍ଗଳାବାଗ ଥାନାରେ ପହଞ୍ଚିଥିଲେ।
ପୁଲିସ ଉଭୟଙ୍କୁ ଧରି ପୁରୀଘାଟ ଥାନାରେ ପହଞ୍ଚିଥିଲା। ଏହି ଖବର ପାଇବା ପରେ ଢେଙ୍କାନାଳର ଯୁବକ କିଛି ସଂଗଠନର ସଦସ୍ୟଙ୍କୁୁ ଧରି ଥାନାରେ ପହଞ୍ଚିବାରୁ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା।
Powered by Froala Editor