ସିଙ୍ଗାପୁରରୁ ଫେରି ଏହା କହିଲେ ମର୍ଚ୍ଚାଣ୍ଟ ନ୍ୟାଭି କ୍ୟାଡେଟ୍ ସାର୍ଥକଙ୍କ ମାଆ ଏବଂ ମାମୁଁ
ଭୁବନେଶ୍ଵର: ସିଙ୍ଗାପୁରରୁ ଖାଲି ହାତରେ ଫେରିଲେ ମର୍ଚ୍ଚାଣ୍ଟ ନ୍ୟାଭି କ୍ୟାଡେଟ୍ ସାର୍ଥକ ମହାପାତ୍ରଙ୍କ ମାଆ ଏବଂ ମାମୁଁ। କମ୍ପାନୀ କୌଣସି ପ୍ରକାର ସହଯୋଗ କଲାନି ବୋଲି ସାର୍ଥକଙ୍କ ମାମୁଁ କହିଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି ଷ୍ଟାଫଙ୍କ ସହ କଥା କରାଇ ଦେଲେନି। ଆମେ ସାର୍ଥକଙ୍କ ବାବଦରେ ପଚାରିବା ବେଳେ ସେମାନେ ଆମକୁ ପ୍ରତିରୋଧ କରୁଥିଲେ। କେବଳ ସାର୍ଥକଙ୍କ କ୍ୟାବିନ୍କୁ ଯିବାକୁ ଅନୁମତି ଦେଲେ। ଜାହାଜର ଅନ୍ୟ କୌଣସି ସ୍ଥାନକୁ ଆଦୌ ଛାଡ଼ିଲେନି।
ମିଳିଥିବା ସୂଚନା ଅନୁସାରେ ସିଙ୍ଗାପୁର ଯିବା ପାଇଁ ଡକରା ଆସିବା ପରେ ନିଖୋଜ ସାର୍ଥକଙ୍କ ମା’ କେନ୍ଦ୍ରର ସହାୟତା ଲୋଡ଼ିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ୍ କରି ସାର୍ଥକଙ୍କ ସନ୍ଧାନ ଓ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳ ସିଙ୍ଗାପୁର ଯିବାକୁ ଆକୁଳ ନିବେଦନ କରିଥିଲେ। ସିଙ୍ଗାପୁର ଜଳସୀମାରେ ନିଖୋଜ ଥିବା ଓଡ଼ିଆ କ୍ୟାଡେଟ୍ ସାର୍ଥକ ମହାପାତ୍ରଙ୍କ ସନ୍ଧାନ ପାଇଁ ତାଙ୍କ ମା’ ରଶ୍ମିତା ସାହୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ବିଦେଶ ମନ୍ତ୍ରଣାଳୟ ଏବଂ ଜାହାଜ ଚଳାଚଳ ମନ୍ତ୍ରଣାଳୟର ଦ୍ୱାରସ୍ଥ ହୋଇଛନ୍ତି। ତଦନ୍ତ ପ୍ରକ୍ରିୟା ସହଜ ପାଇଁ ସେ ଜାହାଜଟିକୁ ପାରାଦୀପ ଆଣିବା ପାଇଁ ଦାବି କରି ଆସୁଥିଲେ ମଧ୍ୟ ଡିଜି ସିପିଂ କାର୍ଯ୍ୟାଳୟ ପକ୍ଷରୁ ପାରାଦୀପ ଆଣିବା ସମ୍ଭବ ନୁହେଁ ବୋଲି ସ୍ପଷ୍ଟ କରାଯାଇଥିଲା।
ତେବେ ‘ଆଙ୍ଗଲୋ ଇଷ୍ଟର୍ଣ୍ଣଗ୍ରିପ ସିପ୍ ମ୍ୟାନେଜମେଣ୍ଟ’ ନାମକ ଦେଶର ସର୍ବବୃହତ ଜାହାଜ କମ୍ପାନୀରେ ୨୦୨୫ ଜୁଲାଇ ମାସରେ ଜଣେ ଡେକ କ୍ୟାଡେଟ ଭାବେ ଯୋଗ ଦେଇଥିଲେ ସାର୍ଥକ ମହାପାତ୍ର । ଭଦ୍ରକ ଜିଲାର ମୂଳ ବାସିନ୍ଦା ସାର୍ଥକ ଚାରି ତାରିଖ ଦିନ ଇଣ୍ଟର୍ଣ୍ଣସିପ୍ ଶେଷ ହେବା ପରେ ଘରକୁ ଆସିବେ ବୋଲି ସୂଚନା ଦେଇଥିଲେ । ଶେଷଥର ପାଇଁ ୨ ତାରିଖ ଦିନ ସେ ତାଙ୍କ ମା ରଶ୍ମୀତାଙ୍କ ସହ ଭିଡିଓ କଲ୍ରେ କଥା ହୋଇଥିଲେ । ତିନି ତାରିଖ ଦିନ ସେ କାର୍ଯ୍ୟରତ ଥିବା ଇଏ ଜର୍ସି ନାମକ ଜାହାଜ ଭାରତ ମହାସାଗରରେ ଚୀନରୁ ପଶ୍ଚିମ ଆଫ୍ରିକା ଅଭିମୁଖେ ଯାଉଥିବାବେଳେ ମରିସସ ନିକଟବର୍ତ୍ତୀ ଅଞ୍ଚଳରେ ଗଭୀର ସମୁଦ୍ରରେ ସାର୍ଥକ କୁଆଡ଼େ ନିଖୋଜ ହୋଇଯାଇଥିଲେ ବୋଲି ତାଙ୍କ ପରିବାରକୁ ସମ୍ପୃକ୍ତ କମ୍ପାନୀ ପକ୍ଷରୁ ଏକ ସୂଚନା ମିଳିଥିଲା ।
Powered by Froala Editor