ନୂତନ ଅଧ୍ୟାୟ ସୃଷ୍ଟି କରିବ ପାରାଦୀପ, ବେଳାଭୂମିରେ ନିର୍ମାଣ ହେବ ବ୍ଲୁ ଫ୍ଲାଗ୍ ବିଚ୍
ଭୁବନେଶ୍ବର: ପର୍ଯ୍ୟଟନ କ୍ଷେତ୍ରରେ ନୂତନ ଅଧ୍ୟାୟ ସୃଷ୍ଟି କରିବ ପାରାଦୀପ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଦିନିକିଆ ପାରାଦୀପ ଗସ୍ତରେ ଆସି ମୁଖ୍ୟ ଶାସନ ସଚିବ ଏନେଇ ସମୀକ୍ଷା କରିଛନ୍ତି। ପାରାଦୀପ ଲାଇଟ ହାଉସ୍ ବେଳାଭୂମିରେ ଜଗତସିଂହପୁର ଜିଲ୍ଲାପାଳ ଜେ ସୋନାଲ, ଏସପି ଅଙ୍କିତ ବର୍ମା ଓ ବିଭିନ୍ନ ଅଧିକାରୀମାନଙ୍କ ସହିତ ଏନେଇ ବିସ୍ତୃତ ଆଲୋଚନା କରିଛନ୍ତି।
ଏନେଇ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ପ୍ରକୃତିର ବିରଳ ଅବଦାନ ବଙ୍ଗୋପସାଗର ଉପକୂଳର ପାରାଦୀପ ଠାରୁ ୭ କିଲୋମିଟର ସମୁଦ୍ର କୂଳ ବେଳାଭୂମିରେ ବ୍ଲୁ ଫ୍ଲାଗ୍ ବିଚ୍ ନିର୍ମାଣ ହେବ। ପ୍ରଥମ ପର୍ଯ୍ୟାୟରେ ୩ କିଲୋମିଟର ପାଇଁ ବ୍ଲୁ ଫ୍ଲାଗ ବିଚ୍ ନିର୍ମାଣ କାର୍ଯ୍ୟ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଶେଷ କରିବାକୁ ସମସ୍ତ ପ୍ରୟାସ ଜାରି ରହିଛି। ଏହା ସହିତ ବିଭିନ୍ନ କୋଣରୁ ପାରାଦୀପର ମୁନିସିପାଲିଟି ହେଉ କିମ୍ବା ବନ୍ଦରନଗରୀର ବିକାଶ ପାଇଁ ବନ୍ଦର ଅଧ୍ୟକ୍ଷ ପି.ଏଲ ହର ନାଦଙ୍କ ସହିତ ବିଭିନ୍ନ ଶିଳ୍ପସଂସ୍ଥାମାନଙ୍କ ସହ ବିସ୍ତୃତ ଆଲୋଚନା କରାଯିବା ନେଇ ମଧ୍ୟ ସୂଚନା ଦେଇଛନ୍ତି ।
ପାରାଦୀପ ବ୍ଲୁ ଫ୍ଲାଗ ବିଚ୍ ନିର୍ମାଣ ହେବାପରେ ପର୍ଯ୍ୟଟନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସ୍ଥାପନା କରିବା ସହିତ ଗୋଆ ବିଚ୍ ଭଳି ପାରାଦୀପ ବେଳାଭୂମିକୁ ଦେଶ ବିଦେଶର ପର୍ଯ୍ୟଟକମାନଙ୍କ ଆଗମନ ହେବ। ଯାହା ଫଳରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ସ୍ଥାନୀୟ ଲୋକେ ସ୍ୱାବଲମ୍ବୀ ହେବା ସହିତ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ଦେଶ ବିଦେଶରେ ସୁନାମ ଅର୍ଜନ କରିବ।
Powered by Froala Editor