ଜେଲ ଡାକ୍ତରଖାନାରେ ବିଚାରାଧୀନ ବନ୍ଦୀଙ୍କ ଆତ୍ମହତ୍ୟା
ଚୌଦ୍ବାର: ଚୌଦ୍ୱାର ମଣ୍ଡଳ କାରାଗାରରେ ରହୁଥିବା ଜଣେ ବିଚାରାଧୀନ ବନ୍ଦୀ ଜେଲ ଡାକ୍ତରଖାନାରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ତେବେ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ। ମୃତ ବନ୍ଦୀ ଜଣଙ୍କ ହେଲେ କଟକ ହାତୀପୋଖରୀ ଦୁର୍ଗାବଜାର ଅଞ୍ଚଳର ମହମ୍ମଦ କଲିମ। ରବିବାର ସନ୍ଧ୍ୟାରେ ଜେଲ ପକ୍ଷରୁ ଅଭିଯୋଗ ପରେ ଚୌଦ୍ୱାର ପୁଲିସ ଆତ୍ମହତ୍ୟା ମାମଲା ରୁଜୁ କରି ଶବ ଜବତ କରି ତଦନ୍ତ ଜାରି ରଖିଛି। ସୋମବାର ସକାଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଡାକ୍ତରୀ ଦଳ ଶବ ବ୍ୟବଚ୍ଛେଦ କରିବା ପରେ ପରିବାରକୁ ହସ୍ତାନ୍ତର କରାଯିବ। ରାତି ପ୍ରାୟ ୧୧ଟାରେ ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଚୌଦ୍ବାର ଥାନାରେ ଏତଲା ଦିଆଯାଇଛି।
ସୂଚନା ଅନୁଯାୟୀ; କଲିମଙ୍କୁ ଦରଘା ବଜାର ଥାନା ଅଞ୍ଚଳରେ କୌଣସି ଏକ ଗଣ୍ଡଗୋଳ ଘଟଣାରେ ପୁଲିସ ଗତ ଡିସେମ୍ବର ୧୩ରେ ଗିରଫ କରି ଚୌଦ୍ୱାର ମଣ୍ଡଳ କାରାଗାରକୁ ପଠାଇଥିଲା। ଅଦାଲତରେ ବିଚାର ଚାଲିଥିବାରୁ ସାମୂହିକ ବିଚାରାଧୀନ ବନ୍ଦୀଙ୍କ ସହ କଲିମଙ୍କୁ ଏକାଠି ରଖା ଯାଇଥିଲା। ତେବେ ତାଙ୍କୁ ସାମୂହିକ ଗୃହରୁ ହଠାତ କାହିଁକି ଡାକ୍ତରଖାନା ପଠାଯାଇଥିଲା ସେ ବିଷୟରେ ଜେଲ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳି ନ ଥିବାବେଳେ ସେ ମାନସିକସ୍ତରରେ ଅସୁସ୍ଥ ଥିବାରୁ ତାଙ୍କୁ ଜେଲ ଡାକ୍ତରଖାନାର ୬ ନଂ ସେଲରେ ରଖାଯାଇ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି। କଲିମ ଡାକ୍ତରଖାନା ୱାର୍ଡ ଭିତରେ ଥିବାବେଳେ ରବିବାର ଅପରାହ୍ଣରେ ପାଖରେ ଥିବା ଗାମୁଛାକୁ ବେକରେ ଗୁଡାଇ ସ୍କାଏଲାଇଟରେ ବାନ୍ଧି ଝୁଲି ପଡ଼ିଥିଲେ।
ଡାକ୍ତରଖାନାର ଜଣେ କର୍ମଚାରୀ ଏହା ଦେଖି ତୁରନ୍ତ ମୁଖ୍ୟ ୱାର୍ଡର ସହ ଜେଲ ଅଧୀକ୍ଷକଙ୍କୁ ସୂଚନା ଦେଇଥିଲେ। ତୁରନ୍ତ ତାଙ୍କୁ ଜେଲ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ଡାକ୍ତରଖାନା ନିଆଯାଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ଏହି ଆତ୍ମହତ୍ୟା ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Powered by Froala Editor