ଦିଲ୍ଲୀରେ କଟକଣା କୋହଳ : ୫୦ ପ୍ରତିଶତ ଦର୍ଶକରେ ଖୋଲିବ ମଲ୍ଟିପ୍ଲେକ୍ସ, ବିବାହରେ ଯୋଗ ଦେଇପାରିବେ ୧୦୦

ସଂକ୍ରମଣ କମୁଥିବାରୁ ଜାତୀୟ ରାଜଧାନୀରେ କଟକଣାକୁ ଆହୁରି କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ସିନେମା ହଲ ଠାରୁ ଆରମ୍ଭ କରି ଦୀର୍ଘ ଦିନ ହେଲା ବନ୍ଦ ରହିଥିବା ସ୍ପାକୁ ମଧ୍ୟ ଖୋଲିବାକୁ ସରକାର ଘୋଷଣା କରିଛନ୍ତି। ନୂତନ ନିର୍ଦ୍ଦେଶ ଅନୁଯାୟୀ, ଜୁଲାଇ ୨୬ ରୁ ସିନେମା ହଲ୍, ପ୍ରେକ୍ଷାଳୟ ଏବଂ ମଲ୍ଟିପ୍ଲେକ୍ସ ୫୦ ପ୍ରତିଶତ ଦର୍ଶକ କ୍ଷମତାରେ ଖୋଲିବ । ଏହା ବ୍ୟତୀତ ଦିଲ୍ଲୀ ସରକାର ସୋମବାରଠାରୁ ୧୦୦ ଜଣ ଅତିଥିଙ୍କୁ ବିବାହ ଉତ୍ସବରେ ଯୋଗଦେବାକୁ ଅନୁମତି ଦେଇଛନ୍ତି। ଏହାପୂର୍ବରୁ କେବଳ ୫୦ ଜଣଙ୍କୁ ବିବାହ ସମାରୋହରେ ଯୋଗଦେବାକୁ ଅନୁମତି ଦିଆଯାଇଥିଲା।
ଏହି ନୂତନ ନିର୍ଦ୍ଦେଶରେ ଅନ୍ତିମ ସଂସ୍କାରରେ ଯୋଗଦେଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ବର୍ତ୍ତମାନ ଦିଲ୍ଲୀରେ ଅନ୍ତିମ ସଂସ୍କାରରେ ସର୍ବାଧିକ ୧୦୦ ଜଣ ଲୋକ ଯୋଗ ଦେଇ ପାରିବେ। ସେହିପରି ସ୍ପା ମଧ୍ୟ ଖୋଲିବ । କିନ୍ତୁ ଏଥିପାଇଁ ସରକାର କିଛି ନିୟମ ସ୍ଥିର କରିଛନ୍ତି। ସ୍ପାର କର୍ମଚାରୀମାନେ ଟିକାର ଦୁଇଟି ଯାକ ଡୋଜ୍ ନେଇଥିବେ ଓ ସ୍ପା ଖୋଲିବା ପୂର୍ବରୁ ସେମାନଙ୍କ ଆରଟି ପିସିଆର ଟେଷ୍ଟ ରିପୋର୍ଟ ନେଗେଟିଭ ହୋଇଥିବ।
ସୋମବାର ଭୋର ୫ଟାରୁ ଦିଲ୍ଲୀର ମେଟ୍ରୋ ଓ ଡିଟିସି ବସ୍ ଗୁଡ଼ିକ ପୂର୍ଣ୍ଣ କ୍ଷମତାରେ ସେବା ଆରମ୍ଭ କରିବ। ଯେତିକି ସିଟ୍ ସେତିକି ଲୋକ ବସ୍ ଓ ମେଟ୍ରୋରେ ଯିବା ଆସିବା କରିପାରିବେ। କେହି ବି ଛିଡ଼ା ହୋଇ ଯାତାୟାତ କରିପାରିବେ ନାହିଁ। ବସ୍ ଓ ମେଟ୍ରୋରେ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟ। ସେହିପରି ଏଗୁଡ଼ିକୁ ନିୟମିତ ସାନିଟାଇଜ ମଧ୍ୟ କରାଯିବ।
ଧାର୍ମିକ ଅନୁଷ୍ଠାନ ଖୋଲିବ। କିନ୍ତୁ କୌଣସି ଲୋକ ଆସିପାରିବେ ନାହିଁ। ଶିକ୍ଷାନୁଷ୍ଠାନ ପୂର୍ବଭଳି ବନ୍ଦ ରହିବ। ଦିଲ୍ଲୀରେ କୌଣସି ରାଜନୀତିକ, ଧାର୍ମିକ, କ୍ରୀଡ଼ା, ସାଂସ୍କୃତିକ ଓ ସାମାଜିକ ସମାବେଶ ହୋଇପାରିବ ନାହିଁ। ବାର ଗୁଡ଼ିକ ୫୦% ଲୋକଙ୍କୁ ବସାଇ ଦିନ ୧୨ଟାରୁ ରାତି ୧୦ଟା ଯାଏ ସେବା ଯୋଗାଇବେ। ରେଷ୍ଟୁରାଷ୍ଟଗୁଡ଼ିକ ସକାଳ ୮ଟାରୁ ରାତି ୧୦ଟା ଯାଏ ଏକକାଳୀନ ୫୦% ଲୋକଙ୍କୁ ବସାଇ ଖାଇବାକୁ ଦେଇପାରିବେ।
Powered by Froala Editor