ରେଲୱେ ଓଭର ବ୍ରିଜ୍ ନିର୍ମାଣ ନେଇ ସମୀକ୍ଷା ବୈଠକ
ଭୁବନେଶ୍ୱର: ରାଜ୍ୟର ସଡ଼କ ନେଟ୍ୱାର୍କର ସୁଦୃଢ଼ୀକରଣ କ୍ଷେତ୍ରରେ ରେଲୱେ ଓଭର ବ୍ରିଜ୍ ର ପ୍ରମୁଖ ଭୂମିକା ରହିଛି । ରେଲୱେ ଫାଟକ ବଦଳରେ ରେଲୱେ ଓଭର ବ୍ରିଜ୍ ନିର୍ମାଣ ଦ୍ୱାରା ଯାତ୍ରା ସମୟରେ ହେଉଥିବା ଅତିରିକ୍ତ ଭିଡ଼ ହ୍ରାସ ସହ ସମୟ ଅବଧି କମିବା ଏବଂ ଧନଜୀବନକୁ ସୁରକ୍ଷା କରିହେବ ।
ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ମାଣ ବିଭାଗ ରାସ୍ତା ଉପରେ ହେବାକୁ ଥିବା ୧୬୬ ଗୋଟି ରେଲୱେ ଓଭର ବ୍ରିଜ୍ ପାଇଁ ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ପୂର୍ବତଟ ରେଳବାଇ ଓ ନିର୍ମାଣ ବିଭାଗର ବରିଷ୍ଠ ଅଧିକାରୀ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ସୂଚନା ଯୋଗ୍ୟ ଯେ ଏହି ୧୬୬ ଗୋଟି ରେଲୱେ ଓଭର ବ୍ରିଜ୍ ଗୁଡିକର ନିର୍ମାଣ ଅଗ୍ରଗତି ଗତ କିଛି ବର୍ଷ ହେଲା ମନ୍ଥର ସ୍ଥିତିରେ ଥିଲା । ରାଜ୍ୟ ସରକାରଙ୍କ ନିର୍ମାଣ ବିଭାଗର ସକ୍ରିୟ ପଦକ୍ଷେପ ସ୍ୱରୂପ ଭାରତ ସରକାରଙ୍କ ରେଳବାଇ ମନ୍ତ୍ରଣାଳୟର ନୂତନ ନୀତି-୨୦୨୪ କୁ ଉପଯୋଗ କରି ପୂର୍ବତଟ ରେଳବାଇ ୯୬ ଟି ରେଲୱେ ଓଭର ବ୍ରିଜ୍ କୁ ଶତପ୍ରତିଶତ ନିଜ ଖର୍ଚ୍ଚରେ ନିର୍ମାଣ କରିବା ନେଇ ବୁଝାମଣା ପତ୍ର ସ୍ବାକ୍ଷର ପାଇଁ ନିଷ୍ପତ୍ତି ନିଆଯାଇଛି ।
ଏହି ବୈଠକରେ ରେଲୱେ ଓଭର ବ୍ରିଜ୍ ଗୁଡିକ ଲାଗି ଜମି ଅଧିଗ୍ରହଣ, ବ୍ରିଜ୍ ନିର୍ମାଣରେ ଗୁଣବତ୍ତା, ସମୟସୀମା ମଧ୍ୟରେ କାର୍ଯ୍ୟ ସମାପ୍ତ ଏବଂ ଆବଶ୍ୟକ ସ୍ଥଳେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରି ନିର୍ମାଣ କାର୍ଯ୍ୟ ଆଗେଇ ନେବା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଏଥିରେ ୧୧୨ ଟି ରେଲୱେ ଓଭର ବ୍ରିଜ୍ ଆପ୍ରୋଚ୍ ରାସ୍ତା ସକାଶେ ପାଇଁ ଜମି ଅଧିଗ୍ରହଣ ପାଇଁ ଭାରପ୍ରାପ୍ତ ଅଧିକାରୀଙ୍କୁ ମନୋନୀତ କରାଯାଇଛି।
Powered by Froala Editor